ଶହେ ବର୍ଷ ପରେ ରାଜକୀୟ ବିବାହ

ସେଣ୍ଟପିଟର୍ସବର୍ଗ, ୩ା୧୦: ଦୀର୍ଘ ଶହେ ବର୍ଷ ପରେ ରୁଷିଆ ରାଜ ପରିବାରର ବିବାହ ରାଜକୀୟ ଢଙ୍ଗରେ ହୋଇଛି। ଦିନେ ଶାସନଚ୍ୟୁତ ହୋଇଥିବା ଏହି ରୟାଲ ଫ୍ୟାମଲି ପୁଣି ଥରେ ରୁଷିଆରେ ସେମାନଙ୍କ ଉପସ୍ଥିତି ଜାହିର କରିବେ ବୋଲି କେହି ଆଶା କରି ନ ଥିବାବେଳେ ରୋମାନୋଭ୍‌ ବଂଶଜ ଜର୍ଜ ମିଖାଇଲୋଭିଚ୍‌ ରୋମାନୋଭ୍‌(୪୦) ଶୁକ୍ରବାର ତାଙ୍କ ଇଟାଲୀୟ ପ୍ରେମିକା ଭିକ୍ଟୋରିଆ ରୋମାନୋଭ୍‌ନା ବେଟାରିନି(୩୯)ଙ୍କ ହାତ ଧରିଛନ୍ତି। ଏକ ଶତାବ୍ଦୀ ପରେ ଏପରି ବିବାହ ଉତ୍ସବ ଆୟୋଜନ କରିଥିଲେ ରୁଷିଆ ଧର୍ମଗୁରୁମାନେ। ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବାକୁ ୟୁରୋପର ବହୁ ରାଜ ପରିବାର ସଦସ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ରୁଷିଆରେ ୧୯୧୮ରେ ହୋଇଥିବା ସବୁଠାରୁ ବଡ଼ ରାଜନୈତିକ ବିପ୍ଳବ ବା ବଲସେଭିକ୍‌ କ୍ରାନ୍ତି ରାଜ ପରିବାରକୁ କ୍ଷମତାଚ୍ୟୁତ କରିଦେଇଥିଲା। ରୁଷିଆର ଶେଷ ସମ୍ରାଟ ନିକୋଲାସ୍‌ ଦ୍ୱିତୀୟ, ତାଙ୍କ ସ୍ତ୍ରୀ ଏବଂ ୫ ପିଲା ହତ୍ୟାର ଶିକାର ହୋଇଥିଲେ। ବାମପନ୍ଥୀ ନେତା ଭ୍ଲାଡିମିର ଲେନିନ୍‌ଙ୍କ ନେତୃତ୍ୱରେ ବଲସେଭିକ୍‌ମାନେ କ୍ଷମତା ଦଖଲ କରି ଶେଷ କରିଦେଇଥିଲେ ରାଜକୀୟ ଶାସନ ପରମ୍ପରା। ଏହାର ପ୍ରାୟ ବର୍ଷେ ପୂର୍ବରୁ ଅର୍ଥାତ୍‌ ୧୯୧୭ରେ ରୁଷିଆ ଦେଖିଥିଲା ରାଜ ପରିବାର ବିବାହ ଉତ୍ସବ। ଶହେ ବର୍ଷ ପରେ ରୁଷିଆରେ ଇତିହାସର ପୁନରାବୃତ୍ତି ହୋଇଛି। ସେଣ୍ଟପିଟର୍ସବର୍ଗର ସେଣ୍ଟ ଆଇଜାକ୍‌ କ୍ୟାଥୋଡ୍ରାଲରେ ଜର୍ଜ ମିଖାଇଲୋଭିଚ୍‌ଙ୍କ ବିବାହ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ୟୁରୋପର ବହୁ ରାଜ ପରିବାରର ସଦସ୍ୟ ତଥା ବେଲଜିୟମ ରାଜକୁମାରୀ ଲେଇଆ, ସ୍ପେନ୍‌ କୁଇନ୍‌ ସୋଫିଆ, ଲିକ୍‌ଟେନ୍‌ଷ୍ଟାଇନ୍‌ ରାଜକୁମାରୀ ତିଲସିମ୍‌ ଏବଂ ବୁଲଗେରିଆର ଶେଷ ରାଜା ସିମେନ୍‌ ଦ୍ୱିତୀୟ ପ୍ରମୁଖ ସାମିଲ ଥିଲେ। ରୟାଲ ଫ୍ୟାମିଲିର ସଦସ୍ୟ ଥିବା ଜର୍ଜ ମିଖାଇଲୋଭଚ୍‌ଙ୍କ ଜେଜେବାପା ବିପ୍ଳବ ସମୟରେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାଇଥିଲେ। ପରିବାରର ସୁରକ୍ଷା ପାଇଁ ସେମାନେ ଫିନ୍‌ଲାଣ୍ଡ୍‌ ଏବଂ ପରେ ଦକ୍ଷିଣ ୟୁରୋପରେ ପହଞ୍ଚିଥିଲେ। ଜର୍ଜ ମିଖାଇଲୋଭିଚ୍‌ ମାଡ୍ରିଡ୍‌ରେ ଜନ୍ମଗ୍ରହଣ କରିଥିଲେ। ଜୀବନର ଅଧିକାଂଶ ସମୟ ସେ ସ୍ପେନ୍‌ ଏବଂ ଫ୍ରାନ୍ସରେ ବିତାଇଥିଲେ। ଅକ୍ସଫୋର୍ଡ ୟୁନିଭର୍ସିଟିରେ ଶିକ୍ଷା ଲାଭ କରିବା ପରେ ସେ ୧୯୯୨ରେ ପ୍ରଥମ ଥର ପାଇଁ ରୁଷିଆ ଯାଇଥିଲେ। ବ୍ରସେଲ୍ସରେ ଥିବାବେଳେ ବେଟାରିନିଙ୍କ ସହ ସେ ଡେଟିଂ କରୁଥିଲେ। ଦାତବ୍ୟ ସଂସ୍ଥା ଚଳାଇବା ପାଇଁ ୨୦୧୯ରେ ବେଟାରିନିଙ୍କୁ ନେଇ ମିଖାଇଲୋଭିଚ୍‌ ମସ୍କୋ ପଳାଇଥିଲେ। ନିକୋଲାସ୍‌ ଦ୍ୱିତୀୟ ପଦଚ୍ୟୁତ ହେବା ପୂର୍ବରୁ ୩ ଶହରୁ ଊର୍ଦ୍ଧ୍ୱ ବର୍ଷ ଧରି ରୋମାନୋଭ୍‌ମାନେ ରୁଷିଆରେ ଶାସନ କରିଥିଲେ।

Share