Categories: ଅନୁଗୋଳ

କେନ୍ଦୁପତ୍ର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ବଇଣ୍ଡା,୧୨।୫(ଡି.ଏନ.ଏ.): ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ଅଧୀନରେ ଥିବା ବଇଣ୍ଡା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟରେ ସର୍କଲ ଚେକର ନିଯୁକ୍ତିରେ ଅନିୟମିତତା ହୋଇଥିବା ବୁଧବାର ସର୍କଲ ଚେକର ବସନ୍ତ କୁମାର ସାହୁ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଏଥିସହ ସେ ହଣ୍ଡପାଠାରେ ଥିବା ବଇଣ୍ଡା କେନ୍ଦୁପତ୍ର କାର୍ଯ୍ୟାଳୟଠାରେ ଅନଶନରେ ବସିଛନ୍ତି।
ଅଭିଯୋଗପତ୍ରରେ ବସନ୍ତ ଦର୍ଶାଇଛନ୍ତି, ପାଇକସାହି ନିକଟସ୍ଥ ପୋକଣ୍ଡା ଅଞ୍ଚଳ ପାଇଁ ସର୍କଲ ଚେକର ଭାବେ ତାଙ୍କୁ ଆଠମଲ୍ଲିକ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତ କରାଯାଇଥିଲା। ଦୀର୍ଘବର୍ଷ ହେବ ସେ କାର୍ଯ୍ୟ କରୁଥିଲେ। ତେବେ ୨୦୨୧ ମେ ୨୦ରେ ସେ ହଣ୍ଡପାଠାରେ ଥିବା କାର୍ଯ୍ୟାଳୟରୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ଚିକିତ୍ସିତ ହୋଇ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ଆସିଥିବାବେଳେ ତାଙ୍କୁ ଜଏନ କରିଦିଆଯାଇ ନ ଥିଲା। ସେ ବହୁବାର ମେଡିକାଲ ସାର୍ଟିଫିକେଟ ଧରି ଜଏନ କରିବା ପାଇଁ ରେଞ୍ଜ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଡିଏଫଓ କାର୍ଯ୍ୟାଳୟ ଯାଏ ଦୌଡିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ୨୦୧୯ ମସିହାଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ ସର୍କଲ ଚେକର ଭାବେ କରିଥିବା କାର୍ଯ୍ୟର ଦରମା ମଧ୍ୟ ଦିଆଯାଇ ନାହିଁ। ଜଏନ ପାଇଁ ରେଞ୍ଜ କାର୍ଯ୍ୟାଳୟର ଜଣେ ଅଧିକାରୀ ତାଙ୍କୁ ୫୦ ହଜାର ଟଙ୍କା ହାତଗୁଞ୍ଜା ମାଗିଥିବା ବସନ୍ତ ଅଭିଯୋଗ କରିଛନ୍ତି। ଅନଶନ ଖବରପାଇ ବିଭାଗର ଏସିଏଫ ଭରତ ଚନ୍ଦ୍ର ସାହୁ ଓ ହଣ୍ଡପା ପୋଲିସ ପହଞ୍ଚି ବୁଝାଶୁଝା କରିବା ସହ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ରେଞ୍ଜର ନିରୋଦ କୁମାର ସାହୁ କହିଛନ୍ତି, ସର୍କଲ ଚେକର ନିଯୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ। ବସନ୍ତ ତାଙ୍କର ସାଟିଫିକେଟ୍‌ ପ୍ରଦାନ କରି ନ ଥିବା ଯୋଗୁ ଜଏନ ହୋଇପାରିନାହାନ୍ତି। ଲାଞ୍ଚ ମାଗିବା ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି।