Categories: ଜାତୀୟ

ଜଣେ ବିଚାରପତି ୫୦ ମାମଲା ସମାଧାନ କଲେ ପୁଣି ୧୦୦ ନୂଆ ଦାଖଲ ହେଉଛି, କହିଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ, ୨୦।୮ : ଦେଶରେ ବିଭିନ୍ନ କୋର୍ଟରେ ବିଚାରାଧୀନ ମାମଲାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦି ଜଣେ ବିଚାରପତି ୫୦ ଟି ମାମଲା ସମାଧାନ କରୁଛନ୍ତି, ତା’ହେଲେ ପୁଣି ୧୦୦ ଟି ନୂଆ ମାମଲା ଦାଖଲ ହୋଇ ଯାଉଛି। ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ସଚେତନ, ସେମାନେ ନ୍ୟାୟ ପାଇବା ପାଇଁ କୋର୍ଟଙ୍କ ନିକଟକୁ ଆସୁଛନ୍ତି। ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲର କାର୍ଯ୍ୟକାରିତା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହା କହିଛନ୍ତି।

ରିଜିଜୁ କହିଛନ୍ତି ଯେ କୋର୍ଟରେ ମାମଲାଗୁଡ଼ିକର ବିଚାରାଧୀନ ସଂଖ୍ୟା ହ୍ରାସ କରିବାକୁ ସରକାର ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ବିଚାରାଧୀନ ମାମଲା ସଂଖ୍ୟା କମିବାର ଆଶା ରହିଛି।

ବାସ୍ତବରେ, ସଂସଦର ମୌସୁମୀ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ ୪.୮୩ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି। ନିମ୍ନ ଅଦାଲତରେ ୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଥିବାବେଳେ ସୁପ୍ରିମକୋର୍ଟରେ ୭୨,୦୦୦ରୁ ଅଧିକ ମାମଲା ବିଚାରାଧୀନ ଅଛି। ରିଜିଜୁ ଏହା ମଧ୍ୟ କହିଥିଲେ ଯେ ଭାରତ ଏବଂ ଅନ୍ୟ ଦେଶରେ ବିଚାରାଧୀନ ମାମଲା ମଧ୍ୟରେ କୌଣସି ତୁଳନା କରାଯିବା ଉଚିତ ନୁହେଁ କାରଣ ଆମ ଦେଶର ସମସ୍ୟା ଭିନ୍ନ ଅଟେ।

Share