୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବେଲପଡ଼ା ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନାଯୋଗ୍ୟ ଯେ, ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ କନ୍ଧେନଝୁଲା ଗ୍ରାମପଞ୍ଚାୟତର ସର୍ଗିମୁଣ୍ଡା ଗାଁର ଚାଷୀ ମୀନକେତନ ଚହଁର ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ଚାଷଜମିରେ ଏକ କୂଅ ଖୋଲାଇଥିଲେ। ଏହାର ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ବ୍ଲକ୍‌କୁ ଆସୁଥିଲେ ମଧ୍ୟ ବିଲ୍‌ ହୋଇପାରୁ ନ ଥିଲା। ବିଲ୍‌ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ସାହୁ ତାଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ। ଚାଷୀ ଚହଁର ତାଙ୍କ କଥାରେ ରାଜିହୋଇ ପ୍ରଥମ ପର୍ଯ୍ୟାୟରେ ୭ ହଜାର ଓ ପରେ ବାକି ତକ ଟଙ୍କା ଦେବା ପାଇଁ କଥା ଛିଣ୍ଡିଥିଲା। ମଧ୍ୟାହ୍ନ ସମୟରେ ଚାଷୀ ଚହଁର ବ୍ଳକ୍‌ କାର୍ଯ୍ୟାଳୟରେ ପହଞ୍ଚତ୍ କନିଷ୍ଠ ଯନ୍ତ୍ରୀ ସାହୁଙ୍କୁ ୭ ହଜାର ଟଙ୍କା ଦେବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ କାବୁକରି ନେଇଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଜେଇଙ୍କ ଅଫିସରେ କାଗଜପତ୍ର ଯାଞ୍ଚକରି ପଚରାଉଚରା ପାଇଁ ତାଙ୍କୁ ବଲାଙ୍ଗୀର ନେଇଯାଇଥିଲେ। ଚଢ଼ାଉରେ ବରଗଡ଼ ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ସାମିଲଥିଲେ।

Share