ରକ୍ତଦାନ କଲେ ମାଗଣାରେ ମିଳିବ ଏକ କିଲୋ ଚିକେନ-ପନିର୍‌: ଡିସେମ୍ବର ୧୧ରୁ ପଞ୍ଜିକରଣ ଆରମ୍ଭ

ମୁମ୍ବାଇ,୯।୧୨: କଥାରେ ଅଛି ରକ୍ତ ଦାନ ମହାପୁଣ୍ୟ। ତେବେ ଲୋକଙ୍କୁ ଏହି ମହାନ କାର୍ଯ୍ୟ ପ୍ରତି ଆକର୍ଷିତ କରାଇବା ଲାଗି ମହାରାଷ୍ଟ୍ରର ମହିମ୍‌-ଓ୍ବର୍ଲି ଅଞ୍ଚଳରେ ଏଭଳି ନିଆରା ଊଦ୍ୟମ ଆରମ୍ଭ କରାଯାଇଛି। ରକ୍ତଦାନ କଲେ ମାଗଣାରେ ଏକ କିଲୋ ଚିକେନ ଅବା ପନିର୍‌ ମିଳିବ। ଶିବସେନା କର୍ପୋରେଟର୍‌ ସମାଧାନ ସାଡ଼ା ଏହି ଅଭିଯାନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଅଭିଯାନ ଲୋୟର ପାର୍ଲେଠାରେ ଥିବା କେଇଏମ୍‌ ହସ୍ପିଟାଲ ସହଯୋଗରେ ଆରମ୍ଭ କରାଯିବ। ଏନେଇ ରକ୍ତଦାନ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଡିସେମ୍ବର ୧୧ଠାରୁ ପଞ୍ଜିକରଣ କରିପାରିବେ ବୋଲି ସମାଧାନ ସୂଚନା ଦେଇଛନ୍ତି। ଡିସେମ୍ବର ୧୩ରେ ରାଜାଭାଉ ସାଲଓ୍ବି ପଡ଼ିଆରେ ରକ୍ତଦାନ ଶିବିର ଆୟୋଜନ କରାଯିବ। ପୂର୍ବାହ୍ନ ୧୦ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟ ଜାରି ରହିବ। ଏବେ ଏହି ଘୋଷଣା ପତ୍ର ତଥା ଏହାର ପୋଷ୍ଟର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share