ନୂଆପଡା,୨୪।୬ (ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ବାଲିପାଟିଠାରୁ ଡ୍ୟାମ ରାସ୍ତା ନିର୍ମାଣର ଏକ ବର୍ଷ ବିତି ଯାଇଛି। ହେଲେ ଆଜି ଯାଏ ଶ୍ରମିକମାନେ ପାଉଣା ପାଇ ନ ଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ନିୟମାନୁ ଯାୟୀ ଯେ କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ନାମ ଫଳକ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଏଠାରେ ନାମ ଫଳକ ମଧ୍ୟ ଅର୍ଦ୍ଧ ନିର୍ମିତ ଭାବେ ରହିଥିବାରୁ କେଉଁ କାର୍ଯ୍ୟ ଓ କେତେ ଅଟକଳ ଜଣା ପଡିନାହିଁ। ପ୍ରାପ୍ତ ସୂଚନା ଅନୁସାରେ ୨୦୨୨ ନଭେମ୍ବର ମାସରେ ବାଲିପାଟିଠାରୁ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ସାହାଜଟ ପର୍ଯ୍ୟନ୍ତ ପ୍ରାୟ ଦେଢ କିଲୋମିଟର ରାସ୍ତାରେ ମାଟି କାମ ହୋଇଥିଲା। ରାସ୍ତା ନିର୍ମାଣର ୮ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ କି ଶ୍ରମିକମାନଙ୍କ ପାଉଣା ମିଲି ନାହିଁ। ଏ ସମ୍ପର୍କରେ ଶ୍ରମିକମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି। ରାଜ୍ୟ ସରକାର ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦେଉଛନ୍ତି। ହେଲେ ଠିକ ସମୟରେ ପାଉଣା ମିଳୁ ନ ଥିବାରୁ ବାଧ୍ୟ ହୋଇ ଦାଦନ ଯିବାକୁ ପଡୁଛ। ଦାଦନ ଗଲେ ମଧ୍ୟ ମାଲିକଙ୍କ ନିର୍ଯାତନା ସହି ହେଉନାହିଁ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। ଧଜରାମ କୈବର୍ତ, କୁମୁରା ମାଝି, ରିଖିରାମ କୈବର୍ତ, ମୋହିତ ରାମ ଅହିର, ଘନଶ୍ୟାମ ଅହିର, ପୁନୁରାମ ମାଝି, ସାଧୁରାମ ମାଝି, ହରି ମାଝି, ତ୍ରିନାଥ ମାଝି, ଡମ୍ବରୁ ମାଝି, ଦୀପାଞ୍ଜଳି ମାଝି, ରାଜୁ ମାଝି, ଭାଗରଥି ମାଝି, ସୋବିନ ମାଝି, ଯୁଗେ ମାଝି, ନନ୍ଦ ମାଝି, ରୁଦ୍ର ମାଝି, ତିକେରାମ ମାଝି, ଟଙ୍କଧର ମାଝି, ଚନ୍ଦ୍ରାବତୀ ମାଝି ପ୍ରମୁଖ କାର୍ଯ୍ୟ କରି ଆଜି ପର୍ଯ୍ୟନ୍ତ ପାଉଣା ପାଇ ନାହାନ୍ତି। ଏ ସଂକ୍ରାନ୍ତରେ ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକ ଚନ୍ଦ୍ର ରଥଙ୍କୁ ପଚାରିବାରୁ କିଛି ଲୋକଙ୍କ ପାଉଣା ମିଳି ଯାଇଥିବା ବେଳେ ପାଉଣା ମିଳି ନ ଥିବା ଲୋକଙ୍କ ଆକାଉଣ୍ଟ ଭୁଲ ଥିବାରୁ ପାଉଣା ମିଳ ନାହିଁ ବୋଲି କହିଛନ୍ତି।