ଅଧିକ ସଂଖ୍ୟାରେ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ହେବ

ଭୁବନେଶ୍ୱର, ୨୨।୬(ବ୍ୟୁରୋ):ଓଡ଼ିଶାର ବିଭିନ୍ନ ଜିଲାରେ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପିଏମ୍‌ଏଫ୍‌ଏମ୍‌ଇ ରାଜ୍ୟ କୋର୍‌ ଗ୍ରୁପ୍‌ ବୈଠକରେ ନିଷ୍ପତ୍ତି ହୋଇଛି। ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ପ୍ରାରମ୍ଭରେ ଆଇଏମ୍‌ଇଡିଏଫ୍‌ର ସ୍ବତ୍ୱାଧିକାରୀ ରମଣ ଥାପର ମୟୂରଭଞ୍ଜ ଜିଲାର ମୋହନପୁର ମ୍ୟାଜିକ୍‌ ମିଲେଟ୍‌ କ୍ଲଷ୍ଟରର ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ପ୍ରକଳ୍ପଟିରେ ସମୁଦାୟ ୯୮୦ ଚାଷୀ ଉପକୃତ ହେବେ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି ା ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ମକାରୁ ଉତ୍ପାଦିତ ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ କ୍ଲଷ୍ଟର ନୂଆପଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରତିଷ୍ଠା ପାଇଁ ଆପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ରାଉଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ସେହିପରି ଉତ୍ପାଦିତ ଦ୍ରବ୍ୟକୁ ଦେଶ ଭିତରେ ଓ ବାହାରେ ମାର୍କେଟିଂ କରିବା ଲାଗି ପ୍ରମୁଖ ସଚିବ ଗ୍ରୋଜିପ୍‌ ମାର୍କେଟିଂ ସଂସ୍ଥାର ଆନନ୍ଦ କୁମାର ମିଶ୍ରଙ୍କୁ ସହଯୋଗ କରିବାକୁ କହିଛନ୍ତି ା ଢେଙ୍କାନାଳ ଜିଲାରେ ଚନ୍ଦ୍ରଶେଖରପୁର ଚିନାବାଦାମ କ୍ଳଷ୍ଟର ୪୩୫.୧୭ ଲକ୍ଷ ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରାଯାଇଛି। ଏଥିରେ ୭୭୦ ମହିଳା ଓ ୪୭୬ ପୁରୁଷ ସାମିଲ ହୋଇଛନ୍ତି ା ଗଜପତି ଜିଲାର ୪୪୦.୩୧ ଲକ୍ଷ ଟଙ୍କାରେ ପ୍ରତିଷ୍ଠିତ ପ୍ରକଳ୍ପ ଛେଳିଗଡ଼ ମେଜ୍‌ କ୍ଲଷ୍ଟର, ମଣିପୁର ରାଜ୍ୟର କାଙ୍ଗତାକପି ସପୁରି କ୍ଲଷ୍ଟର, ରାୟଗଡ଼ା ଜିଲା ଚାଟିକଣା ଏବଂ ଗଜପତି ଜିଲାରେ ପ୍ରତିଷ୍ଠା କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଛି ା ହସ୍ତିକା ଉଦ୍ୟୋଗର ବିଶ୍ୱଜିତ୍‌ ସ୍ବାଇଁ କଦଳୀ ଗଛର ବିଭିନ୍ନ ଅଂଶରୁ ଉତ୍ପାଦିତ ବ୍ୟାଗ୍‌, ମ୍ୟାଟ୍‌ ଇତ୍ୟାଦି ଅନ୍‌ଲାଇନରେ ପ୍ରଦର୍ଶନ ସହ ବିଦେଶରେ ଏହାର ବଜାର ଚାହିଦା ଅଧିକ ଥିବା କହିଥିଲେ।

Share