କମିଛି ବର୍ଷା, କମିନି ଦୁର୍ଦ୍ଦଶା

ସମ୍ବଲପୁର,୧୯ା୮(ବ୍ୟୁରୋ):ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଅନ୍ୟପଟେ ଦିନତମାମ ସମ୍ବଲପୁର ସହରରେ ବର୍ଷା ହୋଇନାହିଁ। ତେଣୁ ତଳି ଅଞ୍ଚଳରେ ପ୍ରଭାବିତମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହେଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା କମିନାହିଁ। ଅନେକ ଗୃହ ଏବେ ମଧ୍ୟ ଜଳବନ୍ଦିରେ ରହିଛି। ୭ଟି ଆଶ୍ରୟସ୍ଥଳି ଖୋଲାଯାଇ ପ୍ରାୟ ୬ଶହ ଜଣଙ୍କୁ ରଖାଯାଇଛି। ସେହିପରି ଯେଉଁମାନେ ଉଚ୍ଚ ସ୍ଥାନରେ ଓ ନିଜ ଘରେ ଫଶି ରହିଛନ୍ତି ସେମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ପାଣିପଶି ମାଟିଘର ଭାଙ୍ଗିଯାଇଥିବାରୁ ଲୋକେ ବାସହରା ହୋଇଛନ୍ତି। ଅନ୍ୟପଟେ ଭାଙ୍ଗିଯାଇଥିବା ଘରକୁ ବିପନ୍ନ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ଏଭଳି କେତେକ ପରିବାର ଲୋକଙ୍କୁ ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରୀ ନାଏକ ଭେଟି ଆଲୋଚନା କରିଛନ୍ତି। ସମ୍ବଲପୁର ମହାନଗର ନିଗମ, ଖଣ୍ଡୁଆଳ ଓ ମହାନଦୀ ତଟରେ ଥିବା ପରିବାରକୁ ଭେଟି ରିଲିଫ ସାମଗ୍ରୀ ଓ ସମସ୍ତ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ସରକାରୀ ସୁବିଧା ଯୋଗାଇଦେବା ପାଇଁ ସେ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ତାଙ୍କ ସହ ଧନୁପାଲି ଭାଜପା ମଣ୍ଡଳ ସଭାପତି ପ୍ରକାଶ ସାହୁଙ୍କ ସମେତ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ। ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପରିସ୍ଥିତି ସ୍ବାଭାବିକ ରହିଛି। ମୋଟ ୭ଟି ଆଶ୍ରୟସ୍ଥଳରେ ପାଖାପାଖି ୧ହଜାର ବିପନ୍ନଙ୍କୁ ଆଶ୍ରୟ ଦିଆଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ବିଭିନ୍ନ ସ୍ଥାନରେ ପାଣି ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି।

Share