ପାରଳାଖେମୁଣ୍ଡି, ୯ା୧୧(ଡି.ଏନ୍.ଏ.): ଗଜପତି ଜିଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ହରିପୁର ଗ୍ରାମରେ ମଙ୍ଗଳବାର ସମ୍ପତ୍ତି ପାଇଁ ମା’, ଝିଅଙ୍କୁ ଜିଅନ୍ତା ସମାଧି ଉଦ୍ୟମ କରାଯାଉଛି। ହରିପୁର ଗ୍ରାମରେ ଘରବାରି ଜାଗାକୁ ନେଇ ଗ୍ରାମର ଦାଲାମା ଓ ତାଙ୍କ ଝିଅ ସାବିତ୍ରୀଙ୍କ ସହ ଅନ୍ୟ ଏକ ପରିବାରର ତିନି ଭାଇଙ୍କ ମଧ୍ୟରେ ୭ବର୍ଷ ହେଲା ବିବାଦ ଲାଗିରହିଛି। ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ମଙ୍ଗଳବାର ଆନନ୍ଦ, ପ୍ରକାଶ ଓ ରାମାରାଓ ମିଶି ଜୋର ଜବରଦସ୍ତ ବିବାଦୀୟ ଜାଗାରେ ମାଟି ପକାଇ କାମ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ଏହାର ପ୍ରତିବାଦ କରି ନ୍ୟାୟ ପାଇଁ ଦାଲାମା ଓ ଝିଅ ସାବିତ୍ରୀ ବିବାଦୀୟ ସ୍ଥାନରେ ଅନଶନରେ ବସିଥିଲେ। ଏହି ସମୟରେ ଟ୍ରାକ୍ଟର ଯୋଗେ ମୋରମ ଆଣି ପ୍ରତିବାଦ କରୁଥିବା ମା’ ଝିଅ ଦୁହିଁଙ୍କ ଉପରେ ଢାଳି ସଜୀବ ସମାଧି କରିଦେବା ପାଇଁ ତିନି ଭାଇ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକେ ଦେଖି ମା’ ଝିଅଙ୍କୁ ମାଟି ଖୋଳି ଉଦ୍ଧାର କରିଛନ୍ତି।