ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ରାଜସ୍ବ ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକର ରାଜସ୍ବ କ୍ଷତି ଭରଣା ନିମନ୍ତେ କେନ୍ଦ୍ର ସରକାର ଦ୍ୱିତୀୟ ବର୍ଷ ଲାଗି ଋଣ ଉପରେ ନିର୍ଭର କରିପାରନ୍ତି। ଏଥିଲାଗି ୧.୬ ଲକ୍ଷ କୋଟି ଟଙ୍କା ଋଣ କରିବାକୁ ପଡ଼ିପାରେ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରସଙ୍ଗ ସହ ଅନ୍ୟ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦ ବୈଠକ ଶୁକ୍ରବାର ବସୁଛି।
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୨.୭ ଲକ୍ଷ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ପ୍ରଦାନ କରିବା ନେଇ ଧାର୍ଯ୍ୟ ହୋଇଛି। ଏଥିଲାଗି ସରକାର ୧.୧ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରିପାରନ୍ତି। କରୋନା ମହାମାରୀ ଟିକସ ଆଦାୟ ଉପରେ ଗଭୀର ଭାବେ ପ୍ରଭାବ ପକାଇଥିବାରୁ ସରକାର ଅତିରିକ୍ତ ଋଣ କରିବାକୁ ବାଧ୍ୟ ହେବେ ବୋଲି ଅଧିକାରୀ ଜଣକ କହିଛନ୍ତି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟର ମତାମତ ଲୋଡ଼ା ଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ। ଜିଏସ୍ଟି କାର୍ଯ୍ୟକାରୀ ହେବା ପରେ ରାଜସ୍ବ କ୍ଷେତ୍ରରେ ରାଜ୍ୟ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା ଲାଗି ଏହି ପରୋକ୍ଷ ଟିକସ ବ୍ୟବସ୍ଥାରେ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା କରାଯାଇଛି।