ମୋନାକୋ, ୧୦ା୧୨(ଏପି): ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ଜଣେ ଆଥ୍ଲେଟଙ୍କୁ ଯୋଗ୍ୟତା ହାସଲ କରାଇବାରେ ସହାୟତା କରିଥିବା ଅଭିଯୋଗରେ ଆଲ୍ବାନିଆର ଦୁଇଜଣ ଅଫିସିଆଲ ବାସନ୍ଦ ଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ସେମାନେ ଲଙ୍ଗ ଜମ୍ପର ଇଜ୍ମିର୍ ସ୍ମାଜ୍ଲାଜ୍ଙ୍କ ପ୍ରଦର୍ଶନ ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରଦାନ କରିଥିଲେ। ଅଫିସିଆଲଦ୍ୱୟ ହେଲେ ଆଲବାନିଆ ଟ୍ରାକ୍ ଫେଡେରେଶନ ସଭାପତି ଜିଜେଜ୍ ରୁଲି ଏବଂ ଫେଡେରେଶନର ସାଧାରଣ ସମ୍ପାଦକ ନିକୋଲିନ୍ ଡିଓନିସି। ଏହି ଦୁଇଜଣଙ୍କ ବ୍ୟତୀତ ଲଙ୍ଗ ଜମ୍ପର ଜଣଙ୍କ ମଧ୍ୟ ବାସନ୍ଦ ଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ଟୋକିଓ ଅଲିମ୍ପିକ୍ସର ଦୁଇମାସ ପୂର୍ବରୁ ୨୦୨୧ ମେ’ରେ ଆଲବାନିଆରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମାମଲାର ଫଇସଲା ନ ହେଲା ପର୍ଯ୍ୟନ୍ତ ଏହି ୩ଜଣଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇଥିବା ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) କହିଛି। ସ୍ମାଜ୍ଲାଜ୍ଙ୍କୁ ପ୍ରତିଯୋଗିତାର ବିଜେତା ଘୋଷଣା କରାଯାଇଥିଲା। ସେ ୮.୧୬ ମିଟର ଜମ୍ପ୍ କରିବା ସହ ଜାତୀୟ ରେକର୍ଡ କରିଥିବା ଅଫିସିଆଲଦ୍ୱୟ ଓ୍ବାଲର୍ଡ ଆଥ୍ଲେଟିକ୍ସକୁ ଦେଇଥିବା ତାଙ୍କ ତଥ୍ୟରେ ଉଲ୍ଲେଖ କରିଥିଲେ। ତେବେ ଏହି ତଥ୍ୟ ମିଥ୍ୟା ବୋଲି ଅଭିଯୋଗ ହୋଇଥିଲା। ସ୍ମାଜ୍ଲାଜ୍ ଅଲିମ୍ପିକ୍ସରେ ୭.୮୬ ମିଟର ଜମ୍ପ୍ କରିଥିଲେ। ଫଳରେ ଫାଇନାଲକୁ ଯୋଗ୍ୟତା ହାସଲ କରିବାରେ ସେ ବିଫଳ ହୋଇଥିଲେ।