Categories: ଖେଳ

ଭାରତର ବ୍ୟାଟିଂ ଆଭିମୁଖ୍ୟ ଉପରେ ନଜର

ହାମିଲଟନ୍‌,୨୭।୧୧(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ରବିବାର ହାମିଲଟନରେ ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍‌। ଏହି ମ୍ୟାଚରେ ଭାରତର ବ୍ୟାଟିଂ ଲାଇନଅପ୍‌ ଓ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୩୦୬ ରନ୍‌ କରିଥିଲେ ହେଁ ଦଳ ପରାଜିତ ହୋଇଥିଲା। ବ୍ୟାଟିଂ ଅନୁକୂଳ ପିଚ୍‌ରେ ଭାରତୀୟ ଖେଳାଳି ଦ୍ରୁତ ରନ୍‌ ସଂଗ୍ରହରେ ବିଫଳ ହୋଇଥିଲେ। ପ୍ରଥମ ମ୍ୟାଚରେ ଭାରତର ଦୁଇ ଓପନର ଶତକୀୟ ଭାଗୀଦାରି କରିଥିଲେ ହେଁ ଉଭୟଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୦୦ରୁ କମ୍‌ ରହିଥିଲା। ଶେଷ ଆଡକୁ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଏକ ଭଲ ସ୍କୋର ପ୍ରଦାନ କରିଥିଲା। ତେବେ ଭାରତ ନିକଟରେ ମାତ୍ର ୫ ଜଣ ବୋଲର ରହିଥିବା ବେଳେ ଏହା ଭାରତକୁ କ୍ଷତି ପହଞ୍ଚାଇଥିଲା। ଅର୍ଶଦୀପ ସିଂ ଓ ୟୁଜବେନ୍ଦ୍ର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ କୋଟା ପୂରଣ କରିବା ବ୍ୟତୀତ ଧାଓ୍ବନଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିଲା। ପାଓ୍ବାର ପ୍ଲେରେ ଭାରତୀୟ ଦଳର ଆପ୍ରୋଚ୍‌ ଅତ୍ୟନ୍ତ ଧିମା ରହିଥିଲା। ଅନେକ ପୂର୍ବତନ ଖେଳାଳି ଭାରତର ଏହି ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ଭାରତୀୟ ବ୍ୟାଟରମାନେ ବାଉଣ୍ଡ୍ରି ମାରିବାରେ ସମର୍ଥ ହେଉଥିଲେ ମଧ୍ୟ ଅନେକ ଡଟ୍‌ ବଲ ଖେଳିଥିଲେ। ସେହିପରି ଶ୍ରେୟାସ ଆୟର ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ପୁନର୍ବାର ଶର୍ଟ ବଲ୍‌ର ଶିକାର ହୋଇଥିଲେ। ରିଷଭ ପନ୍ତଙ୍କ ବ୍ୟାଟିଂ ମଧ୍ୟ ଭାରତୀୟ ଦଳ ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛି। ଟି୨୦ ଅପେକ୍ଷା ଦିନିକିଆରେ ତାଙ୍କର ଷ୍ଟ୍ରାଇକ ରେଟ୍‌ ଓ ଆଭରେଜ୍‌ ଭଲ ରହିଥାଏ । ମାତ୍ର ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କ ଫର୍ମ ସେମିତି ରହିନାହିଁ। ସେହିପରି ଷଷ୍ଠ ବୋଲିଂ ବିକଳ୍ପ ପାଇଁ ଭାରତ ସାମସନ୍‌ କିମ୍ବା ପନ୍ତଙ୍କ ସ୍ଥାନରେ ଦୀପକ ହୁଦାଙ୍କୁ ଖେଳାଇପାରେ। ସେହିପରି ଅର୍ଶଦୀପ ସିଂଙ୍କ ସ୍ଥାନରେ ଦୀପକ ଚହରଙ୍କୁ ସାମିଲ କରିପାରେ। ଚହଲଙ୍କ ସ୍ଥାନରେ କୁଲଦୀପ୍‌ ଯାଦବଙ୍କୁ ଗୋଟିଏ ସୁଯୋଗ ପ୍ରଦାନ କରିପାରେ। ସେଡନ୍‌ ପାର୍କରେ ପରିବେଶ ବ୍ୟାଟିଂ ଅନୁକୂଳ ରହୁଥିବା ବେଳେ ଏଠାରେ ଚେଜ୍‌ କରିବା ହିଁ ସହଜ ରହିଥାଏ। ଟସ୍‌ ଜିତିବା ଦଳ ନିଶ୍ଚିତ ଭାବରେ ବୋଲିଂ କରିବାକୁ ପସନ୍ଦ କରିବ।

Share