Categories: ଖେଳ

ଭାରତୀୟ ଟପ୍‌ ଅର୍ଡର ଉପରେ ନଜର

ଅହମଦାବାଦ,୧।୨(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏ ମ୍ୟାଚ ଜିତିଥିବାରୁ ସିରିଜ ଏବେ ୧-୧ ସ୍ଥିତିରେ ଅଛି। ତେଣୁ ତୃତୀୟ ମ୍ୟାଚର ଗୁରୁତ୍ୱ ବଢ଼ି ଯାଇଛି। ପୂର୍ବ ୨ଟି ଯାକ ମ୍ୟାଚରେ ଭାରତୀୟ ଯୁବ ଟପ୍‌ ଅର୍ଡର ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ତେଣୁ ସିରିଜ ନିର୍ଣ୍ଣାୟକ ମ୍ୟାଚରେ ସେମାନଙ୍କ ଉପରେ ନଜର ରହିବ। ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶୁବମନ ଗିଲ, ଇଶାନ କିଶନ ଓ ରାହୁଲ ତ୍ରିପାଠୀ ସୁଯୋଗର ସଦ୍‌ବ୍ୟବହାର କରିପାରିନାହାନ୍ତି। ତେଣୁ ଆଗାମୀ ମ୍ୟାଚରେ ସେମାନଙ୍କ ଉପରେ ଚାପ ରହିବ। ବୁଧବାର ମ୍ୟାଚ ପରେ ଭାରତୀୟ ଦଳ ଦୀର୍ଘଦିନ ଧରି ଆଉ ଟି୨୦ ଖେଳିବାର ନାହିଁ। ତେଣୁ ଦକ୍ଷତା ପ୍ରଦର୍ଶନ ପାଇଁ ଯୁବ ଖେଳାଳିମାନେ ଏଠାରେ ଶେଷ ସୁଯୋଗ ପାଇବେ।
ବାଂଲାଦେଶରେ ଦ୍ୱିଶତକ ହାସଲ କରିବା ପରେ ଇଶାନ ଆଶ୍ଚର୍ଯ୍ୟଜନକଭାବେ ରିଦିମ ଫେରିପାଇବା ପାଇଁ ସଂଘର୍ଷ କରୁଛନ୍ତି। ଟର୍ନିଂ ବଲ୍‌ ଗିଲ୍‌ଙ୍କୁ ଅସୁବିଧାରେ ପକାଉଛି। ସେ ନିଜ ଦିନିକିଆ ଫର୍ମ ଟି୨୦ରେ ବଜାୟ ରଖିପାରି ନାହାନ୍ତି। ସେହିପରି କୋହଲିଙ୍କ ସ୍ଥାନରେ ୩ ନମ୍ବରରେ ଖେଳୁଥିବା ତ୍ରିପାଠୀ ମଧ୍ୟ ସୁଯୋଗ ହାତଛଡ଼ା କରିବାରେ ଲାଗିଛନ୍ତି। ଗତ ମ୍ୟାଚରେ ଯଦି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ତିଷ୍ଠି ନ ଥାନ୍ତେ ତେବେ ଭାରତ ୧୦୦ ରନ ଚେଜ୍‌ କରିବାକୁ ମଧ୍ୟ ସଂଘର୍ଷ କରିଥାନ୍ତା। ସିରିଜର ତୃତୀୟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେଠାରେ ମଧ୍ୟ ଟର୍ନିଂ ଟ୍ରାକ୍‌ ଥିବାରୁ ଭାରତୀୟ ଦଳ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।
ବୋଲିଂ ବିଭାଗରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବାରେ ସକ୍ଷମ ହୋଇଛି। ଗତ ମ୍ୟାଚରେ ବଲ ଅତିରିକ୍ତ ଟର୍ନ ନେଉଥିବାବେଳେ ଚହଲଙ୍କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨ ଓଭର ବୋଲିଂ ସୁଯୋଗ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୨ ଓଭରରେ ଚହଲ ଗୋଟିଏ ମେଡେନ ନେଇଥିବାବେଳେ ମାତ୍ର ୪ ରନ ଦେଇ ଫିନ୍‌ ଆଲେନଙ୍କ ଉଇକେଟ ନେଇଥିଲେ। ପୃଥ୍ବୀ ଶ’ଙ୍କୁ ଦଳରେ ସାମିଲ ପାଇଁ ଚାପ ଥିଲେ ହେଁ ହାର୍ଦ୍ଦିକ ଆଗାମୀ ମ୍ୟାଚ ପାଇଁ ଦଳରେ ପରିବର୍ତ୍ତନ କରିବା ସମ୍ଭାବନା କମ୍‌।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଏହାର ମିଡିଲ ଅର୍ଡର ନିକଟରୁ ଅଧିକ କିଛି ଆଶା ରଖିବ। ଭାରତରେ ବିରଳ ସିରିଜ ଜିତିବାର ସୁଯୋଗ ଏହି ବିଦେଶୀ ଦଳ ନିକଟରେ ରହିଛି। ତେଣୁ ଆଗାମୀ ଚ୍ୟାଲେଞ୍ଜ ପାଇଁ ବ୍ଲାକ୍‌ କ୍ୟାପ ଦଳ ପ୍ରସ୍ତୁତ। ଗ୍ଲେନ୍‌ ଫିଲିପ ଏପର୍ଯ୍ୟନ୍ତ ନିଜ ବିସ୍ଫୋରକ ରୂପ ଦେଖାଇ ପାରିନାହାନ୍ତି। ତେଣୁ ଆଗାମୀ ମ୍ୟାଚରେ ତାଙ୍କ ଉପରେ ନଜର ରହିବ। ଦିନିକିଆ ସିରିଜ ସେନ୍‌ସେଶନ ମାଇକେଲ ବ୍ରାସଓ୍ବେଲ ଏବଂ ୩ ନମ୍ବର ଖେଳାଳି ମାର୍କ ଚାମ୍ପମାନ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଶାୟୀ। ପୂର୍ବ ଗେମ୍‌ରେ ନ୍ୟୁଜିଲାଣ୍ଡ ୮ ବୋଲରଙ୍କୁ ବ୍ୟବହାର କରିଥିଲା। ତେବେ ୪ ସ୍ପିନରଙ୍କୁ କୋଟା ପୂରାଇବାକୁ ଦେଇଥିଲା।
ଦୁଇବର୍ଷ ପୂର୍ବରୁ ଏଠାରେ ଖେଳାଯାଇଥିବା ଟି୨୦ରେ ୨୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର ହୋଇଥିଲା।

Share