ବୁଢ଼ାବଳଙ୍ଗ ପୋଲକୁ ବିପଦ ନିମ୍ନମାନର ପିଲାର

ବାରିପଦା ଅଫିସ,୧୪।୬ (ନିଳାଦ୍ରୀ ବିହାରୀ ଦଣ୍ଡପାଟ)
ରାଜ୍ୟରେ ନିର୍ମାଣାଧିନ କିମ୍ବା ନିର୍ମିତ ପୋଲ ଭୁଶୁଡ଼ିବା ଘଟଣାର ଅନେକ ନଜିର ରହିଛି। ଅନଭିଜ୍ଞ କର୍ମଚାରୀମାନଙ୍କ ପାଇଁ ନିମ୍ନମାନର କାର୍ଯ୍ୟ ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଠିକାଦାରଙ୍କ ଚାପରେ ପଡ଼ି ଅଧିକାରୀମାନେ ଆଖି ବୁଜି ଦେଉଥିବାରୁ ଏପରି ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି। ନିର୍ଦ୍ଦିଷ୍ଟ ଗଭୀର ବିଶିଷ୍ଟ ପିଲର ନିର୍ମାଣ କରାଯାଇ ନ ଥିବାରୁ ଏକ ପୋଲ ବିପଦ ସଙ୍କୁଳ ହୋଇଛି। ମୟୂରଭଞ୍ଜ ଜିଲା ବେତନଟୀ-ବଡ଼ସାହି ରାସ୍ତାର ବେଲପାଳ ଗ୍ରାମରେ ଥିବା ବୁଢ଼ାବଳଙ୍ଗ ନଦୀରେ ନିର୍ମିତ ପୋଲ କ୍ଷେତ୍ରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି।
ବ୍ୟସ୍ତ ବହୁଳ ଉକ୍ତ ରାସ୍ତାରେ ପୋଲ ନିର୍ମାଣ ଲାଗି ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। ଏହାକୁ ନେଇ ୧୯୯୭ରେ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପୂର୍ତ୍ତ ବିଭାଗ ଅଧୀନରେ ପୋଲର ନିର୍ମାଣ କାର୍ଯ୍ୟ ୧୯୯୯ରୁ ଆରମ୍ଭ କରାଯାଇଥିଲା। କୋଟି କୋଟି ଟଙ୍କା ବ୍ୟୟ ବରାଦରେ ୨୭୦ମିଟର ଦୈଘ୍ୟ ବିଶିଷ୍ଟ ଏହି ପୋଲ ନିର୍ମାଣ କାର୍ଯ୍ୟ ୮ବର୍ଷ ଧରି ଚାଲିବା ପରେ ସମ୍ପୂର୍ଣ୍ଣ ହୋଇଥିଲା। ୨୦୦୬ରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ମାତ୍ର ନିର୍ମାଣର କିଛି ବର୍ଷ ପରେ ପୋଲର ଉତ୍ତର ପାର୍ଶ୍ୱରେ ଥିବା ୩ଟି ପିଲର ଦବିବା ଆରମ୍ଭ କରିଥିଲା। ଧିରେ ଧିରେ ଏହା ବୃଦ୍ଧି ପାଇବା ଦ୍ୱାରା ପିଲର ଉପରେ ସମାନ୍ତରାଳ ଭାବେ ପଡ଼ିଥିବା ସ୍ଲାବ ଗୁଡ଼ିକ ଢେଉ ସଦୃଶ ହେବାକୁ ଲାଗିଛି। ବିଭାଗୀୟ ଅଧିକାରୀମାନେ ଏହାକୁ ଲୁଚାଇବାକୁ ଯାଇ ପିଚୁରେ ହମ୍ପସ ନିର୍ମାଣ କରିଛନ୍ତି ା ପୋଲ ଉପରେ ଭାରିଯାନ ଚଳାଚଳ କରିବା ସମୟରେ ଉକ୍ତ ସ୍ଥାନରେ ପାର ହେବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ପୋଲର ୩ଟି ସ୍ଥାନରେ ସ୍ଲାବ ଉଠି ଯାଇଥିବାରୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି। କେଉଁ ମୁହୂର୍ତ୍ତରେ ଅଘଟଣ ଆଶଙ୍କାକୁ ଏଡାଯାଇ ପାରିବ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏହି ପୋଲ ଦେଇ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁ ନାହିଁ ା କୌଣସି ଅଘଟଣ ହେବା ପୂର୍ବରୁ ଏହାର ତଦନ୍ତ କରି ଆଶୁ ପଦକ୍ଷେପ ଗ୍ରହଣ କରାଗଲେ ଧନଜୀବନ ନଷ୍ଟ ହେବାରୁ ରକ୍ଷା ମିଳନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ପ୍ରବୋଧ ଭୂୟଁା, ସଞ୍ଜୟ ଜେନା ଓ ସଦାନନ୍ଦ ଦଣ୍ଡପାଟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିର୍ମାଣ ସମୟରେ ୩ଟି ପିଲରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଉକ୍ତ ପିଲରକୁ ଅଧିକ ଦବାଇବାକୁ ଚେଷ୍ଟା କରା ନ ଯାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରୁ ପରବର୍ତ୍ତୀ ସମୟରେ ଏପରି ଅବସ୍ଥା ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନନ୍ଦଦୁଲାଲ ଘଡ଼େଇଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ପଠାଇ ଏହାର ତଦନ୍ତ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Share