Categories: ଜାତୀୟ

ଝିଅଙ୍କ ମୃତଦେହକୁ କାନ୍ଧରେ ବୋହି ୧୦ କିମି ଚାଲିଲେ ବାପା

ଅମ୍ବିକାପୁର,୨୬।୩: ଛତିଶଗଡ଼ରେ ଓଡ଼ିଶାର ଦାନ ମାଝୀ ଭଳି ଘଟଣାର ପୁନରାବୃତ୍ତି। ଫରକ କେବଳ ସମ୍ପର୍କର। ଛତିଶଗଡର ଅମ୍ବିକାପୁର ଗାଁରୁ ଆସିଥିବା ଏଭଳି ଚିତ୍ର ଏବେ ସମସ୍ତଙ୍କୁ ବିଚଳିତ କରୁଛି। ଝିଅଙ୍କ ମୃତଦେହକୁ କାନ୍ଧରେ ବୋହି ରାସ୍ତା ଉପରେ ଚାଲି ଚାଲି ଯାଉଥିବା ବାପାଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଥିବା ବାପା ହେଲେ ଅମଦାଲା ନିବାସୀ ଈଶ୍ୱର ଦାସ। ଗତ କିଛି ଦିନ ଧରି ତାଙ୍କ ସାତ ବର୍ଷର ଝିଅ ସୁରେଖା ଅସୁସ୍ଥ ଥିଲେ। ପ୍ରବଳ ଜ୍ସର ସାଙ୍ଗେ ପେଟରେ ଯନ୍ତ୍ରଣା ହେବା କାରଣରୁ ଈଶ୍ୱର ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରେ ଥିବା ନର୍ସ ତାଙ୍କୁ ଇଞ୍ଜେକ୍‌ଶନ ଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ନାକରୁ ରକ୍ତ ବାହାରିବା ସହ ମୃତ୍ୟୁ ହୋଇଯାଇଥିଲା।

ଝିଅକୁ ହରାଇବା ପରେ ମୃତଦେହକୁ ନେବା ଲାଗି ଈଶ୍ୱର ଆମ୍ବୁଲାନ୍ସକୁ ଡାକିଲେ। ଏଥିଲାଗି କିଛି ଘଣ୍ଟା ଅପେକ୍ଷା କରିଥିଲେ। ହେଲେ ବ୍ୟବସ୍ଥା ହୋଇ ନ ପାରିବାରୁ ସେ ନିଜ କାନ୍ଧରେ ଝିଅଙ୍କ ମୃତଦେହ ବୋହି ଗାଁ ଅଭିମୁଖେ ବାହାରିଥିଲେ। ଦୀର୍ଘ ୧୦ କିଲୋମିଟର ରାସ୍ତା ସେ ଚାଲିଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଛତିଶଗଡର ସ୍ବାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହଦେଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ବିଏମ୍‌ଓ ଡା. ପିଏସ୍‌ ମାର୍କୋ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପିଲାଟି ଦେହରେ ଅକ୍ସିଜେନର ଅଭାବ ଥିଲା। ତାଙ୍କୁ ୧୫ ଦିନ ଧରି ଜ୍ୱର ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା କର୍ମଚାରୀ ତାଙ୍କୁ ଇଞ୍ଜେକ୍ସନ ଲଗାଇଥିଲେ। ଏହାପରେ ମଧ୍ୟ ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା। ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଲଖନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସର ସମସ୍ୟା ଥିବାରୁ ରୋଗୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

Share