ପରିସ୍ରା କରିବାକୁ ଆସି ଅନ୍ଧାରରେ କୂଅରେ ଖସିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ବଜାରସ୍ଥିତ ଗଣେଶ ପଡ଼ିଆଠାରେ ଥିବା କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଟକ ଝାଞ୍ଜିରି ମଙ୍ଗଳା ହନୁମାନ ମନ୍ଦିରସ୍ଥିତ ସମରେନ୍ଦ୍ର ମହାନ୍ତି(୪୪)।
ସୂଚନାଯୋଗ୍ୟ, ମୃତ ସମରେନ୍ଦ୍ର ଓ ତାଙ୍କର ୨/୩ଜଣ ବନ୍ଧୁଙ୍କ ସହ ଓଡି-୩୩-ଏଲ-୧୯୫୧ ନମ୍ବର ବିଶିଷ୍ଟ ଏହି କାର୍‌ଯୋଗେ କଟକରୁ ପୁରୀ ଓ ପରେ ପୁରୀରୁ ନିରାକାରପୁର ଦେଇ କଟକ ଯାଉଥିଲେ। ହେଲେ ସନ୍ଧ୍ୟାରେ ନିରାକାରପୁର ବଡ଼ବଜାରରେ ଗାଡ଼ିଟିକୁ ରଖି ଅନ୍ୟମାନେ ଚା’, ଜଳଖିଆ ଖାଉଥିବା ବେଳେ ସମରେନ୍ଦ୍ର କିନ୍ତୁ ପରିସ୍ରା କରିବାକୁ ଗଣେଶ ପଡ଼ିଆ ପଟକୁ ଆସିଥିଲେ ବୋଲି ସମରେନ୍ଦ୍ରଙ୍କ ସାଙ୍ଗରେ ଆସିଥିବା ବନ୍ଧୁମାନେ ପ୍ରକାଶ କରିଛନ୍ତି। ହେଲେ ପରିସ୍ରା କରିବାକୁ ଯିବାବେଳେ ଅନ୍ଧାର ହୋଇଥିବାରୁ ସେଠାରେ ଥିବା କୂଅରେ ପଡ଼ିଯାଇଥିଲେ। ପାଣିରେ ସେ ପଡ଼ିଯିବା ପରେ ଶବ୍ଦ ଶୁଣି ସ୍ଥାନୀୟ କିଛି ଲୋକେ ଦେଖି ହୋ-ହଲ୍ଲା କରିବାରେ ସ୍ଥାନୀୟ କିଛି ଯୁବକଙ୍କ ସହାୟତାରେ କୂଅ ଭିତରୁ ସମରେନ୍ଦ୍ରଙ୍କୁ ବାହାର କରାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋର୍ଦ୍ଧା ସରକାରୀ ହସ୍ପିଟାଲକୁ ପଠାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ତେବେ ଏହାର ସଠିକ୍‌ ତଦନ୍ତ କରାଗଲେ ସଠିକ୍‌ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀଙ୍କ ପକ୍ଷରୁ କୁହାଯାଇଚି। ତେବେ ମୃତକଙ୍କ ପାଖରୁ ଗୋଟିଏ ମୋବାଇଲ, ଆଧାରକାର୍ଡ, କାର୍‌ ଚାବି ସହିତ ମନିପର୍ସ ପୋଲିସ ଉଦ୍ଧାର କରିଛି।

Share