୧୦% ସୁଧ ଲୋଭ ଦେଖାଇ ୩.୮ ଲକ୍ଷ ଠକିନେଲେ

କଟକ ଅଫିସ,୧।୮: ଏକ ସରକାରୀ ସଂସ୍ଥାରେ ଟଙ୍କା ବିନିଯୋଗ କରି ମାସିକ ୧୦ ପ୍ରତିଶତ ସୁଧ ପାଇବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ୩ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଥିବା ମଧୁପାଟଣା ଥାନାରେ ଅଭିଯୋଗ ହୋଇଛି। ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳ ଅଞ୍ଚଳର ସୁନିତା ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ପ୍ରଶାନ୍ତ ଦାସ ସାର୍ତ୍ତୋଳରେ ରହୁଥିଲେ। ସେ ଏକ ସରକାରୀ ସଂସ୍ଥାରେ ଡ୍ରାଇଭର ଭାବେ ଚାକିରି କରିଛନ୍ତି। ଉକ୍ତ ସଂସ୍ଥାରେ ଟଙ୍କା ବିନିଯୋଗ କଲେ ମାସିକ ୧୦ ପ୍ରତିଶତ ସୁଧ ମିଳିବ ବୋଲି ପ୍ରଶାନ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହିଭଳି ଭାବେ ପ୍ରଶାନ୍ତ ଗତବର୍ଷ ସୁନିତାଙ୍କଠାରୁ ୩ ଲକ୍ଷ ୮୦ ହଜାର ଟଙ୍କା ନେଇଯାଇଥିଲେ। ଗତ ଜାନୁୟାରୀରେ ସାର୍ତ୍ତୋଳ ଅଞ୍ଚଳରୁ ସେ ଫେରାର ହୋଇଯାଇଥିଲେ। ସେହିପରି ପ୍ରଶାନ୍ତ ଆଖପାଖ ଅଞ୍ଚଳର ଏକାଧିକ ଲୋକଙ୍କ ଠାରୁ ୨କୋଟି ଟଙ୍କା ଠକି ନେଇଥିବା ପରବର୍ତ୍ତୀ ସମୟରେ ଜଣାପଡିଥିଲା। ଏ ନେଇ ସୁନିତା ଗତ ଏପ୍ରିଲରେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଶନିବାର ପୁଣିଥରେ ସୁନିତା ଓ ଅନ୍ୟ କେତେଜଣ ମହିଳା ଠକେଇ ନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ମଧୁପାଟଣା ଥାନାଧିକାରୀ ତୁଷାରକାନ୍ତ ସେଠୀ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି।