କାହିଁକି ଜରୁରୀ ଅବତରଣ କଲା ଏୟାର ଏସିିଆ ବିମାନ

ନୂଆଦିଲ୍ଲୀ,୯।୪: ଏୟାର ଏସିଆ ବିମାନରେ ଉତ୍ତେଜନା। ବିମାନର ଜରୁରୀ ଅବତରଣ କରାଇଲେ ପାଇଲଟ। ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଜଣେ ଯାତ୍ରୀ ହଠାତ୍‌ ଉଲଗ୍ନ ହୋଇଯିବାରୁ ବାଧ୍ୟ ହୋଇ ପାଇଲଟଙ୍କୁ ଦିଲ୍ଲୀରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ବିମାନରେ ଲାଇଫ୍‌ ଜ୍ୟାକେଟକୁ ନେଇ କ୍ର୍ୟୁ ମେମ୍ବରଙ୍କ ସହ ଉକ୍ତ ଯାତ୍ରୀଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ ଉକ୍ତ ଯାତ୍ରୀ ବିମାନରେ ଥିବା ଅନ୍ୟ କ୍ର୍ୟୁ ମେମ୍ବରଙ୍କୁ ଦୁର୍ବବ୍ୟହାର କରିବା ସହ ହଠାତ୍‌ ଉଲଗ୍ନ ହୋଇପଡ଼ିଥିଲେ। ଏହାକୁ ଦେଖି ଅନ୍ୟଯାତ୍ରୀମାନେ ହୋହାଲ୍ଲା କରିଥିଲେ। ତେବେ ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ଯାଇ ଘଟଣା ବାବଦରେ କ୍ର୍ୟୁ ମେମ୍ବର ପାଇଲଟଙ୍କୁ ଖବର ଦେଇଥିଲେ। ଏହାପରେ ପାଇଲଟ ଦିଲ୍ଲୀ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରଙ୍କ ସହ ଆଲୋଚନା କରି ବିମାନକୁ ଜରୁରୀ ଅବତରଣ କରାଇଥିଲେ। ବିମାନ ଅବତରଣ ପରେ ଉକ୍ତ ଯାତ୍ରୀଙ୍କୁ ବିମାନ କର୍ତ୍ତୃପକ୍ଷ ସିଆଇଏସ୍‌ଏଫ୍‌ ପୋଲିସର ଜିମା ଦେଇଥିଲେ। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଏୟାର ଏସିଆ ଇଣ୍ଡିଆର ପ୍ରବକ୍ତା ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏୟାର ଏସିଆ ବିମାନରେ ଯାତ୍ରା ପାଇଁ ଉକ୍ତ ଯାତ୍ରୀଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନ ଥିବା ଜଣାପଡ଼ିଛି।

Share