ଲକ୍‌ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍‌-ବସ୍‌ ହେଲେ ବ୍ୟକ୍ତି

ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍‌ ଭୟଙ୍କର ରୂପ ଧାରଣ କରିଛି। ଭାକ୍ସିନ ଆସିବା ସତ୍ତ୍ୱେ ଏହାକୁ କାବୁ କରାଯାଇପାରିନାହିଁ। ତେଣୁ କରୋନା ମୁକାବିଲା ପାଇଁ ସବୁ ଦେଶର ସରକାର ପୁଣି ଥରେ କଡ଼ା ପଦକ୍ଷେପ ଗ୍ରହଣ କରିବା ସହ ଲକ୍‌ଡାଉନ ଲାଗୁ ପାଇଁ ବିଚାର କରୁଛନ୍ତି। ଏଭଳି ସ୍ଥିତିରେ ଫିଲିପାଇନ୍ସରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଦେଶରେ ଲକ୍‌ଡାଉନ୍‌ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଏହାର ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି। ଫଳରେ ଉକ୍ତ ବ୍ୟକ୍ତିଙ୍କୁ ୩ଶହ ଥର ଉଠ୍‌ବସ୍‌ କରିବାକୁ ପଡ଼ିଥିଲା। ଯାହାଦ୍ୱାରା ଏତେମାତ୍ରାରେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା ଯେ, ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଫିଲିପାଇନ୍ସରେ ଏପ୍ରିଲ ୬ପର୍ଯ୍ୟନ୍ତ ୮ଲକ୍ଷରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ସରକାର ଦେଶରେ ଲକ୍‌ଡାଉନ ଲାଗୁ କରିଛନ୍ତି। ଆଉ ଯେଉଁମାନେ ଏହି କର୍ଫ୍ୟୁ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

କାହାକୁ ଖରାରେ ଠିଆ କରାଯାଉଛି ତ ଆଉ କାହାକୁ ଉଠ୍‌ବସ୍‌ ତ ଆଉ କାହାକୁ ପିଞ୍ଜରା ଭିତରେ ରଖାଯାଉଛି। ଏହିକ୍ରମରେ ମାନିଲାର ଏକ ପ୍ରଦେଶ ଅଞ୍ଚଳରେ ଜଣେ ୨୮ ବର୍ଷୀୟ ଡେରେନ ନାମକ ଯୁବକ ପାଣି ପାଇଁ ଘରୁ ବାହାରକୁ ବାହାରିଥିଲେ। ସେହି ସମୟରେ କିଛି ଲୋକ ତାଙ୍କୁ କାବୁ କରିନେଇ ପୋଲିସର ଜିମା ଦେଇଥିଲେ। ପୋଲିସ ଷ୍ଟେସନରେ ନିୟମ ଉଲ୍ଲଂଘନ ଅଭିଯୋଗରେ ଡେରେନଙ୍କୁ ୩ଶହ ଥର ଉଠ୍‌ବସ୍‌ କରିବାକୁ ପଡ଼ିଥିଲା। ଫଳରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ତାଙ୍କୁ ଏତେମାତ୍ରାରେ ଯନ୍ତ୍ରଣା ହେଉଥିଲା ଯେ, ସେ ଠିଆ ମଧ୍ୟ ହୋଇପାରୁ ନ ଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁ ପରେ ଏହି ମାମଲାର ଯାଞ୍ଚ ପାଇଁ ଡେରେନଙ୍କ ପରିବାର ଓ ସର୍ମ୍ପକୀୟ ଲୋକ ଦାବି କରିଛନ୍ତି।

Share