ମାଟିର ମଣିଷ ଅଶ୍ରୁମୋଚନ

ପିଲାଟି ଦିନରୁ ଘାରି ଥିଲା ଅଭିନୟର ନିଶା: କେନ୍ଦୁଝର ଜିଲାର ଓରାଳିରେ ମୋ ଗାଁ। ବାପା ଆନନ୍ଦପୁରରେ ଓକିଲାତି କରୁଥିଲେ। ଜେଜେ ମଧ୍ୟ ରାଜାଙ୍କ ଓକିଲ ଥିଲେ। ଆନନ୍ଦପୁରରେ ଆମର ଏକ ଘର ଅଛି। ସେଇଠି ଆମର ପାଠପଢା ହୋଇଛି। ତେବେ ପିଲାଟି ଦିନରୁ ମୋର ଅଭିନୟର ନିଶା ଥିଲା। ଗାଁରେ ଗଣେଶ ଗୀତିନାଟ୍ୟରେ ଅଭିନୟ କରିବା ସହ ପ୍ରତିବର୍ଷ ସରସ୍ବତୀ ପୂଜାରେ ଆମ ପରିବାର ସଦସ୍ୟଙ୍କ ଦ୍ୱାରା ମଞ୍ଚସ୍ଥ ହେଉଥିବା ଡ୍ରାମାରେ ବି ଅଭିନୟ କରୁଥିଲି। ଆଉ ଅଭିନୟର ନିଶା ଏତେ ଥିଲା ଯେ, ପଢାରେ ମନ ଲାଗୁ ନ ଥିଲା। ସେଥିପାଇଁ ବଡ ଭାଇ ମତେ ପଢିବା ପାଇଁ ଖଡଗପୁର ନେଇଯାଇଥିଲେ। ସେଠି ମୁଁ ମାଟ୍ରିକ ପାସ୍‌ କଲି। ତା’ପରେ ଫେରି ଆସି ଆନନ୍ଦପୁର କଲେଜରେ ପଢିଲି। ସେତେବେଳେ କାହିଁକି କେଜାଣି ଏୟାରଫୋର୍ସରେ ଚାକିରି କରିବାକୁ ମୋର ଭାରି ଇଛା ଥିଲା। ତେଣୁ ଭୁବନେଶ୍ୱର ଯାଇ ଇଣ୍ଟରଭ୍ୟୁ ଦେଇଥିଲି। ସେଇଦିନ ଜାଣିବାକୁ ପାଇଲି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଡ୍ରାମା ବିଭାଗରେ ବି ଇଣ୍ଟରଭ୍ୟୁ ଅଛି। ଅଭିନେତା ହେବାର ଯୋଉ ଇଛା ପିଲାଟି ଦିନରୁ ଥିଲା ସେଇଟା ପୁଣିଥରେ ଉଜାଗର ହେଇଗଲା। ଆଉ ସେ ଇଣ୍ଟରଭ୍ୟୁ ବି ଦେଲି। ଭାଗ୍ୟକୁ ଉଭୟ ଇଣ୍ଟରଭ୍ୟୁରେ ସଫଳ ହେଲି। କିନ୍ତୁ ଶେଷରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଲି। ଧୀରେ ଧୀରେ ଶତାବ୍ଦିର କଳାକାରଙ୍କ ସହ ସାମିଲ ହେଲି। ଆଉ ବଡ଼ ବଡ଼ କଳାକାର ଯେମିତିକି ଅସୀମ ବସୁ, ଧୀର ମଲ୍ଲିକ, ହର ପଟ୍ଟନାୟକ, ବାଞ୍ଛାନିଧି ପଟ୍ଟନାୟକ ଆଦିଙ୍କ ସଂସ୍ପର୍ଶରେ ଆସିଲି। ସେମାନଙ୍କ ପ୍ରେରଣା ଓ ସହଯୋଗରେ ମୋର ନାଟକରେ ଅଭିନୟର ଧାରା ଆଗେଇଲା।
ସିନେମା ମୁହଁା: ସେତେବେଳେ ଥିଏଟର୍‌ର ଏତେଟା ପ୍ରାଧାନ୍ୟ ନ ଥିଲା। ସରକାରୀ ପ୍ରୋତ୍ସାହନ ବି ନ ଥିଲା। କେବଳ କେତେଜଣ ଚାକିରିଆଙ୍କ ଅର୍ଥିକ ସହାୟତା ପାଇଁ ନାଟକ ହୋଇପାରୁଥିଲା। ତେଣୁ ଚାକିରିଆ ଲୋକ ଅଧିକ ଥିଏଟର କରିବାର ସୁଯୋଗ ପାଉଥିଲେ। ହେଲେ ତାଲିମପ୍ରାପ୍ତ କଳାକାର ଥିଏଟର୍‌ କରିବାକୁ ସୁଯୋଗ ପାଉ ନ ଥିଲେ। ତେଣୁ ଆମ ଭଳି କଳାକାର ସିନେମା ମୁହାଁ ହେଲୁ।
ସଂଘର୍ଷର କଥା: ମୁଁ କୌଣସି ଅଭିନେତା ପରିବାରର ନ ଥିଲି କି ମୋର କେହି ଗଡ ଫାଦର ନ ଥିଲେ। ତେଣୁ ନିଜକୁ ନିଜେ ଆଗକୁ ବଢାଇବାକୁ ପଡୁଥିଲା। ସେଥିପାଇଁ ଯେତେବେଳେ ଯୋଉ କାମ ମିଳିଥିଲା ସବୁ କରିଛି। ପ୍ରଥମେ ବାଞ୍ଛାନିଧି ପଟ୍ଟନାୟକଙ୍କ ପାଖରେ ‘ପର ଝିଅ ଘର ଭାଙ୍ଗେନା’ ଚଳଚ୍ଚିତ୍ରରେ ଓ ତା’ପରେ ସମରେଶ ପାଲଙ୍କ ସହ ‘ନଳ ଦମୟନ୍ତୀ’ରେ ମେକ୍‌ଅପ୍‌ ଆସିଷ୍ଟାଣ୍ଟ ଭାବେ କାମ କଲି। ଏହାପରେ ଅସୀମ ବସୁଙ୍କ ସହ ‘ଛ’ ମାଣ ଆଠଗୁଣ୍ଠ’, ‘ଡୋରା’ ଆଦି ଚଳଚ୍ଚିତ୍ରରେ ଆର୍ଟ ସେକ୍ସନରେ ଛୋଟମୋଟ କାମ କଲି। ଏହାପରେ ରାଜୁ ମିଶ୍ରଙ୍କ ପାଖରେ ଆସିଷ୍ଟାଣ୍ଟ କାମ କଲି। ସେତେବେଳେ ସ୍ବର୍ଗତ ବିଜୟ ମହାନ୍ତି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଲେକ୍ଚର ଥିଲେ। ତାଙ୍କର ‘ରଙ୍ଗମଞ୍ଚ’ ନାମକ ଏକ ଥିଏଟର ଗ୍ରୁପ ଥିଲା। ଏହି ଗ୍ରୁପ୍‌ର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ‘ଥାଙ୍କ ୟୁ ମିଷ୍ଟର ଗ୍ଲାଡ’ ନାମକ ନାଟକରେ ମୁଁ ବି ଏକ ଚରିତ୍ରରେ ଅଭିନୟ କରିଥିଲି। ସେଇ ନାଟକକୁ ଦେଖିବା ପାଇଁ ସେଦିନ ଶ୍ରୀରାମ ପଣ୍ଡା ଆସିଥିଲେ। ମୋ ଅଭିନୟକୁ ସେ ବହୁତ ପସନ୍ଦ କରିଥିଲେ। ଆଉ ମତେ କହିଲେ, ‘ମୋ ସାଙ୍ଗରେ କାମ କରିବୁ?’। ମୁଁ ବହୁତ ଖୁସିରେ ହଁ କହିଥିଲି। ତାଙ୍କର ଆସିଷ୍ଟାଣ୍ଟଭାବେ କାମ କରିବା ସହ ଅଭିନୟ ବି କଲି। ମୋର ପ୍ରଥମ ଚଳଚ୍ଚିତ୍ର ଥିଲା ‘କୁରୁକ୍ଷେତ୍ର’। ଏହାପରେ ମୋର ଚଳଚ୍ଚିତ୍ରର ଧାରା ଚାଲିଲା। ଏବେ ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲିଣି। ତା’ସହ ଟିଭି ସିରିୟଲ, ଶର୍ଟ ଫିଲ୍ମ, ମ୍ୟୁଜିକ୍‌ ଭିଡିଓ ଆଦିରେ ବି ଅଭିନୟ କରିଛି।

‘ଛୋଟ ମୋର ଗାଁ’ଟି ଦେଇଥିଲା ଭିନ୍ନ ପରିଚୟ
ଅଶୋକ ବଳବନ୍ତରାୟ ମତେ ‘ଛୋଟ ମୋର ଗାଁ’ଟି କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରିଥିଲେ। ହେଲେ ଗାଁ ଗାଁ ବୁଲି ଦେହ ଖରାପ ହେବା ଭୟରେ ପ୍ରଥମେ କରିବାକୁ ମନା କରିଦେଇଥିଲି। ହେଲେ ବହୁତ ବାଧ୍ୟ କରିବାରୁ ପରେ ରାଜି ହେଲି। ଆଉ ପ୍ରଥମ ଏପିସୋଡ ଯେବେ ପ୍ରସାରିତ ହେଲା ଦର୍ଶକ ଏତେ ଭଲ ପାଇବା ଦେଲେ ଯେ, ଗାଁ ବୁଲିବାର କଷ୍ଟ ସବୁ ଭୁଲିଗଲି। ମୋର ମନେ ଅଛି ସେଇ ସମୟରେ ମୁଁ ‘ଗାୟତ୍ରୀ’ ନାମକ ସିରିୟଲରେ ଭିଲିଆନ୍‌ ଚରିତ୍ରରେ ଅଭିନୟ କରୁଥାଏ। ସପ୍ତାହ ସାରା ଲୋକେ ମତେ ଗାଳି ଦିଅନ୍ତି। ଫୋନ୍‌ କରି ରାଗନ୍ତି। ହେଲେ ସପ୍ତାହକୁ ଥରେ ପ୍ରସାରିତ ହେଉଥିବା ଛୋଟ ମୋର ଗାଁଟି ଦେଖିବା ପରେ ଲୋକେ ସବୁକିଛି ଭୁଲି ତାଙ୍କ ସ୍ନେହ ଅଜାଡି ଦେଉଥିଲେ।

ପ୍ରିୟ ଚରିତ୍ର: ଚକା ଆଖି ସବୁ ଦେଖୁଛି, ସାଗର ଗଙ୍ଗା, କାଶିଆ କପିଳା, ମାଗୁଣିର ଶଗଡ, ମୁକ୍ତି ମଶାଲ, ମୁଁର ମୂର୍ଚ୍ଛନା, ଦୂର ଦିଗନ୍ତେ, ଦେବ ଦାସୀ, ବିଜୁ ବାବୁ ଆଦି ଚଳଚ୍ଚିତ୍ରରେ କରିଥିବା ଚରିତ୍ର ମତେ ଆତ୍ମସନ୍ତୋଷ ଦେଇଛି।
ମୋ ଆଦର୍ଶ: ପୁରୁଣା ଗପ, ପୁରୁଣା ଚରିତ୍ରକୁ ମୁଁ ଆଦର୍ଶ ଭାବେ ଗ୍ରହଣ କରିଥାଏ। ଏହାବାଦ୍‌ ହେମନ୍ତ ଦାସ, ଦୁଃଖିରାମ ସ୍ବାଇଁ, ଅଜିତ ଦାସ, ବିଜୟ ମହାନ୍ତି ଭଳି ବିଶିଷ୍ଟ କଳାକାର ବି ମୋର ଆଦର୍ଶ ରହି ଆସିଛନ୍ତି।
ଡ୍ରିମ୍‌ ରୋଲ: ହିରୋ, ଟାଉଟର, ମାଇଚିଆଠୁ ଆରମ୍ଭ କରି ଭିଲିଆନ୍‌ ପ୍ରାୟ ସବୁ ପ୍ରକାରର ଚରିତ୍ରରେ ଅଭିନୟ କରିସାରିଲିଣି। ତେଣୁ ସେମିତି କିଛି ଡ୍ରିମ ରୋଲ୍‌ ମୋର ନାହିଁ। ତେବେ ନିର୍ଦ୍ଦେଶକ ଯଦି ମୋ’ ଦ୍ୱାରା ଭିନ୍ନ କିଛି ଚରିତ୍ର ଫୁଟେଇବାକୁ ଚାହିଁବେ ତାକୁ କରିବାକୁ ମୁଁ ଚେଷ୍ଟା କରିବି।
ଅଭିନେତା ନ ହେଇଥିଲେ: ଏୟାର ଫୋର୍ସ ଅବା ସେନା ବିଭାଗରେ ଚାକିରି କରିଥାନ୍ତି। ନହେଲେ ଚାଷୀଟିଏ ହୋଇଥାନ୍ତି।
ଅନ୍ୟ ଭାଷାଭାଷୀ ଚଳଚ୍ଚିତ୍ର: ବଙ୍ଗାଳୀ, ତାମିଲ, ଆସାମୀ, ସାନ୍ତାଳୀ ଭାଷାର ଚଳଚ୍ଚିତ୍ର କରିଛି।
ପ୍ରେମ କେବେ ହେଇଛି: (ହସି ହସି)ଆଗରୁ ମୋ ଚେହେରା ଏତେଟା ଖାସ୍‌ ନ ଥିଲା। ପତଳା ସାବନା ଶରୀରକୁ କୁଞ୍ଚୁ କୁଞ୍ଚତ୍ଆ ଝାମ୍ପୁରା କେଶ। ଏମିତିରେ କୋଉ ଝିଅ ପସନ୍ଦ କରିବ। ତେବେ ଯଦି ବି କିଏ ପସନ୍ଦ କରୁଥିଲା, ଟଙ୍କା ଖର୍ଚ୍ଚ ହେବା ଭୟରେ ଦୂରେଇ ରହୁଥିଲୁ। ପରେ ଘରଲୋକେ ପାଟପୁରର ଝିଅ
ନୟନାଙ୍କ ସହ ମୋର ବାହାଘର ଠିକ କଲେ।
ସ୍ତ୍ରୀ ସବୁକିଛି: ସ୍ତ୍ରୀ ନୟନା ପିଲାଙ୍କ ପାଠପଢା, ବାପାବୋଉଙ୍କ ଯତ୍ନ ସହ ଘର ଚଳାଇବା ଆଦି ସବୁକିଛିର ଦାୟିତ୍ୱ ତୁଲାଇ ଆସିଛନ୍ତି। ତେଣୁ ସେ ହିଁ ମୋ ପାଇଁ ସବୁକିଛି।
ମୋ ପିଲାମାନେ ବହୁତ ଆଡଜଷ୍ଟିଭ: ମୋ ପିଲାମାନେ କେବେ କିଛି ଡିମାଣ୍ଡ କରି ନାହାନ୍ତି। ସବୁଥିରେ ଆଡଜଷ୍ଟ କରି ନିଅନ୍ତି। ପୁଅ ଆଶୀର୍ବାଦ ଏବେ ଓଜେଏସ୍‌ ପାଇଁ ପ୍ରସ୍ତୁତ ହେଉଛି। ଆଉ ଝିଅ ଆଶ୍ରିତା ସାଇକୋଲୋଜିରେ ପିଜି କରୁଛି।
ଖୁସିର ମୁହୂର୍ତ୍ତ: ମୋ ବାହାଘର।
ଦୁଃଖର ମୁହୂର୍ତ୍ତ: ବାପା ବୋଉ ଚାଲିଯିବା।
ଅବସରରେ: ବହିପଢିବା, ଗଛ ଲଗାଇବାକୁ ପସନ୍ଦ କରେ।
ପ୍ରିୟ ଖାଦ୍ୟ: ପଖାଳ ଭାତକୁ ଚୁନା ମାଛ, ଗରମ ଭାତରେ ଖୀର ଓ ଚକୁଳି ପିଠା ମୋର ଭାରି ପ୍ରିୟ।
ଇଛା ଅଛି: ନ୍ୟାଶନାଲ ଆଓ୍ବାର୍ଡ ପାଇବାର ଇଛା ଅଛି। -ଶିବାନୀ ମହାନ୍ତି

Share