Categories: ଜାତୀୟ

ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ୧୨୦୦ କିମି ପରୀକ୍ଷା କେନ୍ଦ୍ରକୁ ନେଲେ ସ୍ବାମୀ

ରାଞ୍ଚି,୫ା୯: କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଗାଡ଼ିମୋଟର ଚଳାଚଳ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇନାହିଁ। ଯେତିକି ଗାଡ଼ି ଚାଲୁଛି ସେଥିରେ ଲୋକେ ମଧ୍ୟ ଯିବାକୁ ଭୟ କରୁଛନ୍ତି। ଏପରି ସ୍ଥିତିରେ ଝାଡ଼ଖଣ୍ଡର ଜଣେ ଯୁବକ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ୧୨୦୦ କିଲୋମିଟର ଦୂର ପରୀକ୍ଷା କେନ୍ଦ୍ରକୁ ନେଇ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସରକାର ସହାୟତା ଦେବାକୁ ଆଗେଇ ଆସିଛନ୍ତି।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଗୋଣ୍ଡା ଜିଲାର ଟୋଲା ଗାଁ ବାସିନ୍ଦା ଧନଞ୍ଜୟ କମାର (୨୭) ୬ ମାସର ଗର୍ଭବତୀ ଥିବା ସ୍ତ୍ରୀ ସୋନି ହେମ୍ବ୍ରମଙ୍କୁ ସ୍କୁଟିରେ ବସାଇ ଡିଏଡ୍‌ (ଡିପ୍ଲୋମା ଇନ୍‌ ଏଜୁକେଶନ) ପରୀକ୍ଷା ଦେବାକୁ ଗ୍ବାଲିୟର ଆସିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ଦମ୍ପତିଙ୍କୁ ପ୍ରଶାସନ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଥିଲେ। ଗ୍ବାଲିୟର ଜିଲା ପ୍ରଶାସନ ତୁରନ୍ତ ଏହି ଦମ୍ପତିଙ୍କୁ ସୁରକ୍ଷିତ ଭାବେ ଝାଡ଼ଖଣ୍ଡକୁ ଫେରାଇ ଦେବାରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।
ଧନଞ୍ଜୟ କହିଛନ୍ତି, ଗ୍ବାଲିୟରର ଦେନ୍ଦାଲ ନଗରରେ ସେ ୧୫୦୦ ଟଙ୍କା ଦେଇ ୧୫ ଦିନ ପାଇଁ ଗୋଟିଏ ଘର ଭଡ଼ା ନେଇଥିଲେ। କାରଣ ତାଙ୍କ ସ୍ତ୍ରୀଙ୍କ ପରୀକ୍ଷା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ଗତ ଡିସେମ୍ବରରେ ସେ ସୋନିଙ୍କୁ ବିବାହ କରିଥିଲେ। ସୋନି କହିଛନ୍ତି, ତାଙ୍କର ପରୀକ୍ଷା ଦେବାକୁ ବହୁତ ଇଚ୍ଛା ଥିଲା। ମାତ୍ର ଯିବାଆସିବାରେ ଅସୁବିଧା ହେତୁ ପରୀକ୍ଷା ଦେବେନି ବୋଲି ନିଷ୍ପତ୍ତି ନେଇଥିଲେ। ସ୍ବାମୀଙ୍କ ସାହସ ଯୋଗୁ ସେ ପୁଣି ପରୀକ୍ଷା ଦେବାକୁ ମନସ୍ଥ କରିଥିଲେ। ସ୍ବାମୀଙ୍କ ସହ ସେ ସ୍କୁଟିରେ ବସି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ।

ଅନ୍ୟପକ୍ଷରେ ମହିଳା ସଶକ୍ତିକରଣ ଅଧିକାରୀ ଶାଲିନ୍‌ ଶର୍ମା କହିଛନ୍ତି, ଏହି ଦମ୍ପତିଙ୍କୁ ରେଡକ୍ରସ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ସେମାନଙ୍କୁ ନିରାପଦରେ ଗାଁକୁ ପଠାଯିବ। ସୋନି ଗର୍ଭବତୀ ଥିବା ତାଙ୍କର ଯତ୍ନ ମଧ୍ୟ ନିଆଯାଉଛି। ରବିବାର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଅଲଟ୍ରାସାଉଣ୍ଡ କରାଯିବ।

Share