ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରାରେ ଗିରଫ ହେଲେ ଜଣେ ବ୍ୟକ୍ତି

ଲଣ୍ଡନ,୧୭ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଲଣ୍ଡନର ଓ୍ବେଷ୍ଟମିନଷ୍ଟର ହଲରେ ସ୍ବର୍ଗତ ରାଣୀଙ୍କ କଫିନ ରଖାଯାଇଥିଲା। ଯେଉଁଠାରେ ହଜାର ହଜାର ଲୋକ ରାଣୀଙ୍କୁ ସମ୍ମାନ ଜଣାଇବାକୁ ଆସିଥିଲେ।

ଏହି ସମୟରେ କଫିନ ଆଡ଼କୁ ଦୌଡ଼ୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହି ପ୍ରସଙ୍ଗରେ ମହାନଗର ନିଗମ କହିଛି, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଶୁକ୍ରବାର ରାତିରେ ବ୍ରିଟେନର ପବ୍ଲିକ ଅର୍ଡର ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ସାକ୍ଷୀମାନେ କହିଛନ୍ତି, ହଠାତ୍‌ ବ୍ୟକ୍ତି ଜଣକ ଏକ ଉଚ୍ଚ ପ୍ଲାଟଫର୍ମରେ ରଖାଯାଇଥିବା ରାଣୀଙ୍କ କଫିନ ଆଡ଼କୁ ଦୌଡ଼ିଥିଲେ। ଏଥିରେ ରାଣୀଙ୍କ କଫିନ, ରାଜକୀୟ ମୁକୁଟ ଏବଂ ଅନ୍ୟାନ୍ୟ ପ୍ରତୀକଗୁଡ଼ିକ ରଖାଯାଇଥିଲା।

ପୋଲିସ ସୂତ୍ରରୁ ପ୍ରକାଶ, ୧୬ ସେପ୍ଟେମ୍ବର ଶୁକ୍ରବାର ରାତି ପ୍ରାୟ ୧୦ଟାରେ ସଂସଦ ଏବଂ କୂଟନୈତିକ ସୁରକ୍ଷା କମାଣ୍ଡର ଅଧିକାରୀମାନେ ଓ୍ବେଷ୍ଟମିନଷ୍ଟର ହଲରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ପବ୍ଲିକ ଅର୍ଡର ଆକ୍ଟ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ପୂରା ଘଟଣାକୁ ଦେଖି ଲାଇଭ୍‌ ଟେଲିକାଷ୍ଟ କିଛି ସମୟ ପାଇଁ ବନ୍ଦ ହୋଇଗଲା।

ସଂସଦର ମୁଖପାତ୍ର କହିଛନ୍ତି, କିଛି ସମୟ ବ୍ୟାହତ ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଲୋକଙ୍କ ଧାଡ଼ି ପୁଣି ଆରମ୍ଭ ହୋଇଥିଲା। ଯେତେବେଳେ ଲୋକମାନେ ଶ୍ରଦ୍ଧାଞ୍ଜଳି ଦେଉଥିଲେ, ସେତେବେଳେ ଏହି ଘଟଣା ଘଟିଥିଲା।

Share