Categories: ଜାତୀୟ

ବିଦ୍ୟୁତ୍‌ ବିଲ୍‌ ଦେଖି ଅସୁସ୍ଥ ହୋଇପଡ଼ିଲେ ବ୍ୟକ୍ତି, ହସ୍ପିଟାଲରେ ଭର୍ତ୍ତି

ଭୋପାଳ,୨୭।୭: ମଧ୍ୟପ୍ରଦେଶରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିବା ପରେ ମଧ୍ୟପ୍ରଦେଶ ଗ୍ବାଲିଓରରେ ରହୁଥିବା ପ୍ରିୟଙ୍କା ଗୁପ୍ତାଙ୍କ ଶ୍ୱଶୁର ଅସୁସ୍ଥ ହୋଇପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟୁତ୍‌ କମ୍ପାନୀ ଏହି ବିଲ୍‌କୁ ପରବର୍ତ୍ତୀ ସମୟରେ ସଂଶୋଧନ କରିଛି। ତେବେ ପ୍ରକୃତ ବିଦ୍ୟୁତ୍‌ ବିଲ୍‌ ୧,୩୦୦ ଟଙ୍କା ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରିୟଙ୍କାଙ୍କ ପରିବାର ଗ୍ବାଲିଓରର ଶିବ ବିହାର କଲୋନୀରେ ରୁହନ୍ତି। ୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଲ୍‌ ଦେଖି ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିବା ପ୍ରିୟଙ୍କାଙ୍କ ସ୍ବାମୀ ସଞ୍ଜୀବ କଙ୍କାନେ କହିଛନ୍ତି। ଜୁଲାଇ ୨୦ରେ ସଞ୍ଜୀବଙ୍କ ଘରେ ଉକ୍ତ ବିଲ୍‌ ବିଭାଗ ପକ୍ଷରୁ ଦିଆଯାଇଥିଲା। ମାତ୍ରାଧିକ ପରିମାଣର ବିଲ୍‌ ଆସିବା ପରେ ସେ ବିଦ୍ୟୁତ୍‌ ବିଭାଗରେ ଅଭିଯୋଗ କରିଥିଲେ। ମଧ୍ୟପ୍ରଦେଶ ମଧ୍ୟ କ୍ଷେତ୍ର ବିଦ୍ୟୁତ୍‌ ବିତରଣ କମ୍ପାନୀ ନିଜ ପୋର୍ଟାଲ୍‌ ଜରିଆରେ ବିଲକୁ ଠିକ୍‌ କରିଥିବା କୁହାଯାଉଛି। ବିଭାଗ କର୍ମଚାରୀ ବିଲ୍‌ ମୂଲ୍ୟ ସ୍ଥାନରେ ଗ୍ରାହକ ନମ୍ବର ଲେଖିଥିବା କାରଣରୁ ଏପରି ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭୁଲ୍‌ବଶତଃ ବିଲ୍‌ରେ ୩ ହଜାର କୋଟି ଟଙ୍କା ଲେଖାଯାଇଥିବା ବେଳେ ଏହାକୁ ଠିକ୍‌ କରାଯାଇଛି। ଏଥିରେ ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଶକ୍ତିମନ୍ତ୍ରୀ କହିଛନ୍ତି।

Share