କରୋନା ସଙ୍କଟ ମଧ୍ୟରେ ଯୁବକଙ୍କ ନିଆରା ମାସ୍କ: ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୪।୫: କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ମାସ୍କ ପରିଧାନକୁ ଗବେଷକମାନେ ଅଧିକ ଗୁରୁତ୍ୱ ଦେବା ସହ ଏହାକୁ ରାମବାଣ ବୋଲି କହୁଛନ୍ତି। ଆଉ ଏହି ନିୟମକୁ ଅନେକ ଲୋକ ପାଳନ କରୁଥିବା ଆଉ କେତେକ ପାଳନ କରୁ ନ ଥିବା ଦେଖିବାକୁ ମିଳିଛି। ସେହିପରି ଆଉ କେତେକ କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ବା ହର୍ବାଲ ମାସ୍କ ପରିଧାନ କରୁଥିବା ନଜର ଆସିଛି। ପୂର୍ବରୁ ଜଣେ ସାଧୁଙ୍କୁ ତୁଳସୀ ଓ ନିମ୍ବ ପତ୍ରର ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିବା ବେଳେ ଏବେ ପୁଣି ଥରେ ଉତ୍ତରପ୍ରଦେଶରୁ ଆଉ ଏକ ନିଆରା ଚିତ୍ର ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ସେନ୍‌ସେସନ ପାଲଟିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ଜିଲାର ବଗରେଠୀ ଗାଁରେ ରହୁଥିବା ମହେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି ଏକ ନିଆରା ବା ହର୍ବାଲ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ନିଜ ମୁହଁରେ ଏକ ତୁଣ୍ଡି ସାହାଯ୍ୟରେ ନିମ୍ବ ପତ୍ରର ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ସୂଚନା ମୁତାବକ ମହେନ୍ଦ୍ରଙ୍କ ପାଖରେ କପଡ଼ା ମାସ୍କ ନ ଥିଲା। ସହରରେ ପୋଲିସ କଡ଼ା ଯାଞ୍ଚ କରୁଥିବା ସମୟରେ ତାଙ୍କୁ ଏହି ମାସ୍କ ମିଳିଥିଲା। ଆଉ ଏହି ମାସ୍କକୁ ସରକାରୀ ହସ୍ପିଟାଲର ଜଣେ ଅଧିକାରୀ ଦେଇଥିଲେ ବୋଲି ମହେନ୍ଦ୍ର କହିଛନ୍ତି। ସେହିଦିନ ଠାରୁ ସେ ଏହି ମାସ୍କକୁ ଲଗାଇ ଆସୁଛନ୍ତି। ତାଙ୍କ କହିବା କଥା ହେଲା, ମାସ୍କରେ ନିମ୍ବ ପତ୍ର ଲଗାଇଲେ ବହୁ ଉପକାରିତା ମିଳିବା ସହ ନିଶ୍ୱାସ ନେବାରେ ମଧ୍ୟ କୌଣସି ସମସ୍ୟା ଉପୁଜିବ ନାହିଁ। ଅନ୍ୟପଟେ ମହେନ୍ଦ୍ର ଯେତେବେଳେ ଘରୁ ବାହାରୁଛନ୍ତି ତାଙ୍କୁ ଦେଖିବା ପାଇଁ ପଛରେ ଭିଡ଼ ଜମା ହୋଇଯାଉଛି। କେବଳ ସେତିକି ନୁହେଁ ଉକ୍ତ ଗାଁର କିଛି ଲୋକ ମଧ୍ୟ ଏଭଳି ମାସ୍କ ପରିଧାନ କରୁଥିବା ଜଣାପଡ଼ିଛି।

Share