ମୁମ୍ବାଇ: କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରକି ଔର୍ ରାନୀ କି ପ୍ରେମ୍ କହାନୀ’ ରିଲିଜ ହେବା ପୂର୍ବରୁ ଧମାକାଦାର ଭଙ୍ଗୀରେ ପ୍ରମୋଶନ କରାଯାଇଥିଲା। ଏହି ଫିଲ୍ମକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ଏଥିରେ ରଣବୀର-ଆଲିଆଙ୍କ କେମିଷ୍ଟ୍ରିକୁ ଦର୍ଶକେ ବେଶ୍ ପ୍ରଶଂସା କରିଥିଲେ ଏବଂ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହିଥିଲେ। ବର୍ତ୍ତମାନ ଫିଲ୍ମ ରିଲିଜ ହେବା ପରେ ଦର୍ଶକଙ୍କ ସହ ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ମଧ୍ୟ ଫିଲ୍ମର ସମୀକ୍ଷା କରିଛନ୍ତି। କେବଳ ଏତିକି ନୁହେଁ, ସେ କରଣ ଜୋହରଙ୍କୁ ଅବସର ନେବାକୁ ଏବଂ ରଣବୀର ସିଂଙ୍କୁ ସଠିକ୍ ଡ୍ରେସ୍ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି।
୭ ବର୍ଷ ପରେ କରଣଙ୍କ ନିର୍ଦ୍ଦେଶନାରେ ‘ରକି ଔର୍ ରାନୀ କି ପ୍ରେମ୍ କହାନୀ’ ମୁକ୍ତିଲାଭ କରିଛି। ଏହି ଫିଲ୍ମଟି ୧୧.୫୦ କୋଟି ସହିତ ଏକ ଭଲ ଓପନିଂ କରିଛି। ଫିଲ୍ମର କାହାଣୀକୁ ପ୍ରଶଂସା କରାଯାଉଥିବା ବେଳେ କଙ୍ଗନା କରଣଙ୍କୁ ନିତିଦିନିଆ ସାବୁନ ସହିତ ତୁଳନା କରିଛନ୍ତି।
କଙ୍ଗନା କରଣଙ୍କ ବ୍ୟତୀତ ରଣବୀରଙ୍କୁ ମଧ୍ୟ ତେର୍ଚ୍ଛା ବାଣ ମାରିଛନ୍ତି। ସେ କହିଛନ୍ତି, ରଣବୀର ଭଲ ଡ୍ରେସ୍ ପିନ୍ଧନ୍ତୁ। କାରଣ ଭାରତୀୟ ଲୋକମାନେ କାର୍ଟୁନ ପରି ଦେଖାଯାଉଥିବା ବ୍ୟକ୍ତିଙ୍କୁ ହିରୋ ଭାବରେ କେବେ ବି ବିବେଚନା କରନ୍ତି ନାହିଁ। ସମସ୍ତ ସାଉଥ୍ ହିରୋଙ୍କୁ ଦେଖନ୍ତୁ, ସେମାନେ କିପରି ପରିଧାନ କରୁଛନ୍ତି। ସେମାନେ ଆମ ଦେଶ ତଥା ସଂସ୍କୃତିକୁ ନଷ୍ଟ କରନ୍ତି ନାହିଁ।