Categories: ଜାତୀୟ

ବିବାହ କରିବାକୁ ମନା କରିବାରୁ ଯୁବକଙ୍କ ମୁହଁରେ ଏସିଡ୍‌ ପକାଇଲେ ବିବାହିତା ମହିଳା…

ଥିରୁଭାନନ୍ତପୁରମ୍‌,୨୧।୧୧: କେରଳର ଇଡୁକ୍କି ଜିଲାର ଜଣେ ମହିଳାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଜଣେ ଯୁବକଙ୍କୁ ଏସିଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଥିରୁଭାନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମହିଳା ଜଣକ ଦୁଇ ସନ୍ତାନର ମାତା ବୋଲି ପୋଲିସ କହିଛି। ଶିବା ନାମ୍ନୀ ଜଣେ ମହିଳା ଥିରୁଭାନନ୍ତପୁରମର ଅରୁଣ କୁମାରଙ୍କ ମୁହଁ ଉପରେ ଏସିଡ ଫିଙ୍ଗିଥିଲେ। ଫଳରେ ତାଙ୍କ ଆଖି ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ପୋଲିସର ସୂଚନାନୁସାରେ, ଅରୁଣ କୁମାର ଏବଂ ଶିବା ଫେସବୁକ ସହ ବନ୍ଧୁ ଥିଲେ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପର ସହ ଚାଟିଂ କରୁଥିଲେ। ପରେ ଦୁହେଁ ପରସ୍ପରକୁ ନିଜ ନିଜ ନମ୍ବର ଦେଇଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହି ସମୟରେ ଅରୁଣ ଜାଣିବାକୁ ପାଇଲେ ଯେ ମହିଳା ବିବାହିତ ଏବଂ ଦୁଇ ସନ୍ତାନର ଜନନୀ। ସେ ଏହି ସମ୍ପର୍କକୁ ଆଉ ଆଗକୁ ବଢ଼ାଇବାକୁ ଚାହୁଁ ନ ଥିଲେ। କିନ୍ତୁ ମହିଳା ତାଙ୍କୁ ବ୍ଲାକମେଲ କରିବାକୁ ଚାହୁଁଥିଲେ ଏବଂ ଟଙ୍କା ମାଗିଥିଲେ। ଅରୁଣ କୁମାର ଜଣେ ସମ୍ପର୍କୀୟ ତଥା ବନ୍ଧୁଙ୍କ ସହ ନଭେମ୍ବର ୧୬ ରେ ଆଡିମାଲିର ଏକ ଚର୍ଚ୍ଚ ନିକଟରେ ମହିଳାଙ୍କୁ ଟଙ୍କା ଦେବାକୁ ଯାଇଥିଲେ। ଏହି ସମୟରେ ମହିଳା ଜଣକ ତାଙ୍କ ମୁହଁରେ ଏସିଡ ଫିଙ୍ଗିଥିଲେ।

ଚର୍ଚ୍ଚ ପରିସରରେ ଥିବା ସିସିଟିଭି ଫୁଟେଜରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଛି। ସିସିଟିଭି ଫୁଟେଜରେ ଶିବା ଅରୁଣ କୁମାରଙ୍କ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ପରେ ସେ ଆଗକୁ ଆସି ଅରୁଣଙ୍କ ମୁହଁରେ ଏସିଡ ଢାଳିଥିଲେ। ପୋଲିସ କହିଛି ଯେ ଏନେଇ ଏକ ମାମଲା ରୁଜୁ ହେବା ସହିତ ଶିବାଙ୍କୁ ଗିରଫ କରାଯାଇଛି।

Share