ଛାତ୍ରୀନିବାସରେ ପୁତ୍ର ସନ୍ତାନ ଜନ୍ମ କଲେ ନାବାଳିକା

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଏକ ବାଳିକା ବିଦ୍ୟାଳୟରେ ଜଣେ ଅନ୍ତେବାସୀ ୭ ମାସର ଗର୍ଭବତୀ ହେବା ଘଟଣାରେ ନାବାଳିକା ଜଣଙ୍କ ଶନିବାର ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ହେଁ ବିଭାଗୀୟ ଅବହେଳାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଅସନ୍ତୋଷ ପ୍ରକାଶ ପାଇଛି। ଆଜି ମା ଓ ଶିଶୁ ମେଡ଼ିକାଲରୁ ଡିସଚାର୍ଯ୍ୟ ହୋଇଥିବା ଜଣା ପଡ଼ିଛି। ତେବେ ଉଭୟଙ୍କ ଭବିଷ୍ୟତ କଣ ହେବ, ନାବାଳିକାର ପାଠ ପଢା କଣ ହେବ ସେ ନେଇ ପ୍ରଶ୍ନ ଉଙ୍କି ମାରିଛି। ତେବେ ଏ ନେଇ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଅସନ୍ତୋଷ ବ୍ୟକ୍ତି କରି ଏଭଳି ସମ୍ବେଦନଶୀଳ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ ହେଉଥିବାରୁ ଆଦିବାସୀ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖରେ ଛାତ୍ରୀ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ଗର୍ଭବତୀ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡିଥିଲା । ଏହାର ୧୨ ଦିନ ପରେ ସେପ୍ଟେମ୍ବର ୧୦ ତାରିଖରେ ନାବାଳିକା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଛାତ୍ରୀଜଣକ ୭ ମାସ ପୂର୍ବରୁ ନବମ ଶ୍ରେଣୀରେ ପଢୁଥିଲେ । ଏହି ଘଟଣା ପରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଅନ୍ତେବାସୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ ଏବଂ ମାସିକ ରେଜିଷ୍ଟ୍ରର ମଧ୍ୟ ଲିପିବଦ୍ଧ କରାଯାଏ । ବିଦ୍ୟାଳୟର ଅନ୍ତେବାସୀ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଠିକ ଭାବରେ ହେଉ ନ ଥିବା ସ୍ପଷ୍ଟ ହୋଇଛି । ଦଶମ ଶ୍ରେଣୀର ଛାତ୍ରୀ ୭ ମାସର ଗର୍ଭବତୀ ଥିଲେ ମଧ୍ୟ ମାଟ୍ରନ, ଏଏନଏମ ଏବଂ ସହକାରୀ ପରିଚାଳିକା, ପ୍ରଧାନ ଶିକ୍ଷୟିତ୍ରୀ କିପରି ଜାଣି ପାରିଲେ ତାହା ସମସ୍ତଙ୍କୁ ଚକିତ କରିଛି । ନାବାଳିକା ପୁତ୍ର ସନ୍ତାନ ଜନ୍ମ କଲା ପରେ ପାଠ ପଢା ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ଏବେ ସେ ଅବିବାହିତ ଭାବେ ମାତୃତ୍ୱ ସାରା ଜୀବନ ପାଇଁ ଭୋଗିବାକୁ ପଡିବ । ବିଭାଗୀୟ ଅଧିକାରୀଙ୍କ ପରିଦର୍ଶନର ଅଭାବ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ଘଟଣା ବାରମ୍ବାର ଘଟୁଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି । ଏଭଳି ଘଟଣାରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଶ୍ରୀ ଟୁଡୁ କହିଛନ୍ତି ।