ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା

ଭୁବନେଶ୍ୱର,୧୨।୮(ସତ୍ୟଜିତ୍‌ ରାଉତ): ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ହାଉସିଂବୋର୍ଡ କଲୋନୀର ଏକ ଘର ପାର୍ଶ୍ୱରେ ଶୁକ୍ରବାର ଜଣେ ନାବାଳିକାଙ୍କ ଗଳିତ ମୃତଦେହ ଜବତ କରିଛି ପୋଲିସ। ମୃତା ନାବାଳିକାଙ୍କ ପରିଚୟ ଜଣାପଡ଼ି ନ ଥିଲେ ମଧ୍ୟ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡୁଛି। ତାଙ୍କ ବୟସ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ନାବାଳିକା ଜଣକ କୁର୍ତ୍ତି ପିନ୍ଧିଥିବାବେଳେ ତାଙ୍କ ଶରରୀରେ ଅନ୍ତ ବସ୍ତ୍ର ନ ଥିଲା। ମୃତଦେହ ନିକଟରେ ଏକ ଡେନ୍‌ଡ୍ରାଇଟ୍‌ ପ୍ୟାକେଟ ମିଳିଥିବାରୁ ତାଙ୍କୁ ନିଶା ଖୁଆଇ ଏପରି ଅମାନବୀୟ କାର୍ଯ୍ୟ କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହଟି ପଚିଯିବା ସହ ସେଥିରୁ ଦୁର୍ଗନ୍ଧ ଓ ପୋକ ବାହାରୁଥିବାରୁ ୪ଦିନ ତଳୁ ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି। କ୍ଷତ ବା ଆଘାତ ଲାଗିଥିବା ତଣ୍ଟି ଓ ଶରୀରର ଅନ୍ୟ କେତେକ ସମ୍ବେଦନଶୀଳ ଅଙ୍ଗ ଅଧିକ ଫୁଲିଯିବା ସହ ପଚିଯାଇଥିବା ଦେଖିବାକୁ ମିଳିଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୬୮/୨୦୨୩) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ନାବାଳିକାଙ୍କ ପରିଚୟ ପାଇବା ପାଇଁ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଅନ୍ୟପକ୍ଷରେ ନାବାଳିକା ଜଣକ ବଞ୍ଜାରା ସମ୍ପ୍ରଦାୟର ହୋଇଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଥାନାଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ନାବାଳିକାଙ୍କର କିଭଳି ମୃତ୍ୟୁ ହୋଇଛି ତାହା କହିହେବ ନାହିଁ। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ନାବାଳିକାଙ୍କ ପରିଚୟ ଜାଣିବାକୁ ଆଖପାଖ ଅଞ୍ଚଳରେ ପଚରାଉଚରା କରାଯାଉଛି। ପରିଚୟ ଜଣା ନ ପଡିଲେ ବା କୌଣସି ପରିବାର ଲୋକ ନ ଆସିଲେ ୪ ଦିନ ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହର ସତ୍କାର କରାଯିବ ବୋଲି ସେ କହିଛନ୍ତି।
ଅନୁଯାୟୀ, ହାଉସିଂବୋର୍ଡ କଲୋନିସ୍ଥିତ ପ୍ଲଟ୍‌ ନଂ. ଏଲ୍‌-୧୨୧ରୁ ମୃତଦେହ ମିଳିଥିବା ଉକ୍ତ ସ୍ଥାନଟି ପରିତ୍ୟକ୍ତ ଅବସ୍ଥାରେ ରୁହେ। ଉକ୍ତ ଅଞ୍ଚଳ ଅନ୍ଧାରୁଆ ସ୍ଥାନ ହୋଇଥିବାରୁ ସେଠାକୁ କେହି ଯାଆନ୍ତି ନାହିଁ। ଶୁକ୍ରବାର ଦିନ ପ୍ରାୟ ୨ଟାବେଳେ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ସେଠାକୁ ଯାଇ ନାବାଳିକାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ସେମାନେ ନାବାଳିକାଙ୍କୁ ଚିହ୍ନିପାରି ନ ଥିଲେ। ଖବର ଦେବାରୁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ସେଠାରେ ପହଞ୍ଚିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ବିଭିନ୍ନ ନମୁନା ସଂଗ୍ରହ କରିବା ପରେ ମୃତଦେହ ଜବତ କରାଯାଇଥିଲା। ଅନ୍ୟପକ୍ଷରେ ଥାନାରେ କୌଣସି ନିଖୋଜ ରିପୋର୍ଟ ହୋଇ ନ ଥିବାରୁ ନାବାଳିକାଙ୍କ ପରିଚୟ ପାଇବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ପରିଚୟ ପାଇବାକୁ ପୋଲିସ ସ୍ଥାନୀୟ ଥାନାକୁ ଖବର ଦେବା ସହ ପାଖ ବସ୍ତିକୁ ଯାଇ ପଚରାଉଚରା କରୁଛି।

Share