ନିଶା କବଳରେ ଯାଯାବର ଶିଶୁ

ଅନୁଗୋଳ ଅଫିସ, ୨୦।୫ ସକାଳୁ ସନ୍ଧ୍ୟା ଯାଏ ସହରରେ ବୁଲି ଭିକ୍ଷା ମାଗୁଛନ୍ତି। ଯାହା ଯେତିକି ମିଳୁଛି, ସେହି ଟଙ୍କାରେ ଖାଦ୍ୟ ଖାଇବା ପରିବର୍ତ୍ତେ ନିଶା ସାମଗ୍ରୀ ସେବନ କରୁଛନ୍ତି ଯାଯାବର ଶିଶୁ। ବିଶେଷକରି ବିଭିନ୍ନ ସାମଗ୍ରୀ ଯୋଡ଼ିବା ପାଇଁ ଶସ୍ତାରେ ମିଳିଯାଉଥିବା ଏକ ଅଠାକୁ ସେମାନେ ଖାଇ ନିଶାରେ ଚୂର୍‌ ହୋଇଯାଉଛନ୍ତି। ଏହାପରେ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ସହ ଆପରାଧିକ କାର୍ଯ୍ୟ ଦିଗରେ ଅଗ୍ରସର ହେଉଛନ୍ତି। ଏଭଳି ଘଟଣା ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଦୈନିକ ଦେଖିବାକୁ ମିଳୁଛି। ଆବଶ୍ୟକତା ନ ଥିଲେ ମଧ୍ୟ ଏପରି ଶିଶୁଙ୍କ ହାତକୁ କାହିଁକି ଉକ୍ତ ନିଶାଯୁକ୍ତ ଅଠା ବିକ୍ରେତାମାନେ ବଢ଼ାଇ ଦେଉଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦୀର୍ଘଦିନ ଧରି ସହରରେ ଏପରି କାରବାର ଚାଲିଥିଲେ ବି ପୋଲିସ କି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ କୁନି କୁନି ପିଲା ପଥ ହୁଡ଼ୁଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
ଅନୁଗୋଳ ସହର ଏବେ ଯାଯାବରଙ୍କ ଏକପ୍ରକାର ଥଇଥାନ କେନ୍ଦ୍ର ପାଲଟିଯାଇଛି। ସହରର ବିଭିନ୍ନ ରାସ୍ତା ପାର୍ଶ୍ୱକୁ ଏମାନେ କବ୍‌ଜା କରିବାରେ ଲାଗିପଡ଼ିଛନ୍ତି। ବଡ଼ ମଣିଷଙ୍କଠାରୁ ଆରମ୍ଭ କରି ସେମାନଙ୍କ ଶିଶୁମାନେ ୨୪ ଘଣ୍ଟା ନିଶାରେ ବୁଡ଼ି ରହୁଛନ୍ତି। କିଏ ଦେଶୀ ମଦ୍ୟପାନ କରି ରାସ୍ତା ପାର୍ଶ୍ୱରେ ଶୋଇ ରହୁଛନ୍ତି ତ ପୁଣି ଆଉ କିଏ ଅନ୍ୟ ନିଶା ସାମଗ୍ରୀ ସେବନ କରି ବିଶୃଙ୍ଖଳା ବଢ଼ାଉଛନ୍ତି। ଏମାନଙ୍କ ଛୋଟ ପିଲାମାନେ ସହରର ଗଳିକନ୍ଦି ବୁଲି ଭିକ୍ଷା ମାଗି ସେହି ଅର୍ଥରେ ନିଶାଯୁକ୍ତ ଅଠା ଖାଉଛନ୍ତି। ବସ୍‌ଷ୍ଟାଣ୍ଡ ଅଞ୍ଚଳର ଜଣେ ବ୍ୟବସାୟୀ ଏହି ଅଠା ରଖିବା ସହ ଏପରି ଯାଯାବର ପିଲାଙ୍କୁ ତାହା ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏହି ନିଶା ଆଉ କେବଳ ଯାଯାବର ଶିଶୁଙ୍କ ନିକଟରେ ସୀମିତ ହୋଇ ରହିନାହିଁ। ଏହା ସ୍କୁଲ ପଢ଼ୁଆ ପିଲା ଓ କଲେଜ ଛାତ୍ରଙ୍କ ହାତରେ ଲାଗିଲାଣି। ଫଳରେ ଏମାନେ ବିପଥଗାମୀ ହୋଇ ଆପରାଧିକ ତଥା ଅସାମାଜିକ କାର୍ଯ୍ୟକଳାପରେ ନିଜକୁ ସାମିଲ କଲେଣି। ବ୍ୟବସାୟୀମାନେ କିଛି ଅର୍ଥ ଲାଭ ଆଶାରେ ଏହି ଅଠାକୁ ପିଲାମାନଙ୍କୁ ବିକ୍ରି କରୁଥିବାରୁ ସହରର ଅନେକ ଶିଶୁ ଏହା କବଳରେ ପଡ଼ିସାରିଲେଣି। ଘଟଣା ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା କହିଛନ୍ତି, ବିଭିନ୍ନ ସମୟରେ ଯାଯାବର ବସ୍ତିକୁ ଯାଇ ସଚେତନ କରାଯାଉଛି। କିନ୍ତୁ ସେମାନେ ସଚେତନ ହେଉନାହାନ୍ତି। ଏ ନେଇ ଅନୁଗୋଳ ପୋଲିସକୁ ଅବଗତ କରାଯାଇ ବିଭିନ୍ନ ଦୋକାନରେ ଚଢ଼ାଉ କରାଯିବା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ବେହେରା ପ୍ରକାଶ କରିଛନ୍ତି।

Share