କରୋନା କବଳରେ ସମଗ୍ର ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କରୋନା ଔଷଧ ତିଆରି କରିବାକୁ ସବୁ ଦେଶ ଲାଗିପଡ଼ିଛି। ବିଶେଷଜ୍ଞମାନେ ମଧ୍ୟ କରୋନା ଉପରେ ପରୀକ୍ଷା ଜାରି ରଖିଛନ୍ତି। ତେବେ ବିଶେଷଜ୍ଞମାନେ ଏଥିରେ କିଛିମାତ୍ରାରେ ସଫଳ ହୋଇଥିବା ଜଣାପଡ଼ିଛି। ସେମାନେ ଅନେକଗୁଡିଏ ଅଣୁ ଆବିଷ୍କାର କରିଛନ୍ତି ଯାହା ଶରୀରରେ କରୋନା ସଂକ୍ରମଣ ବୃଦ୍ଧି କରୁଥିବା ପ୍ରୋଟିନ୍କୁ ନଷ୍ଟ କରିପାରିବ। ଏହି ଅଣୁଗୁଡିକ ଚିହ୍ନଟ ହୋଇଥିବାରୁ ଆଗକୁ କୋଭିଡ୍-୧୯ ପାଇଁ ସହଜରେ ଔଷଧ ମଧ୍ୟ ତିଆରି କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।
ଆମେରିକାର କଲମ୍ବିଆ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ମତରେ ସାର୍ସ-କୋଭ୍-୨ ଜୀବାଣୁ ପଲିମେରେଜ୍ ନାମକ ଏକ ପ୍ରୋଟିନ ସହ ମିଶି ଅନେକ ଗୁଡିଏ ନକଲ ବନାଇ ଶରୀରରେ ବ୍ୟାପିଥାଏ। ତେଣୁ ଏହି ପଲିମରେଜ ପ୍ରତିକ୍ରିୟାକୁ ବନ୍ଦ କରିବା ଦ୍ୱାରା ଶରୀରରେ କରୋନା ଭାଇରସ ବିସ୍ତାରକୁ ରୋକାଯାଇ ପାରିବ। ଏପରି ସ୍ଥିତିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସକ୍ରିୟ ହେବା ଯୋଗୁ କରୋନା ଭାଇରସକୁ ମାରିଦେଇଥାଏ। ବୈଜ୍ଞାନିକମାନେ ଆବିଷ୍କାର କରିଥିବା କେତେକ ଅଣୁ ଅନେକ ଭାଇରାଲ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି। ବର୍ତ୍ତମାନ ୬ଟି ଅଣୁ ଆବିଷ୍କାର ହୋଇଛି। ଏହି ଅଣୁଗୁଡ଼ିକ ସାହାଯ୍ୟରେ କୋଭିଡ୍-୧୯ର ଚିକିତ୍ସା ପାଇଁ ଏକ ପ୍ରଭାବଶାଳୀ ଔଷଧ ତିଆରି କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।