ଭୁବନେଶ୍ୱର,୨୮।୩: ଚନ୍ଦକା ଥାନା ଅଧୀନ ମେଣ୍ଢାଶାଳ ବିଞ୍ଝଗିରିରେ ରବିବାର ଏକ ଅଭାବନୀୟ ଘଟଣା ଘଟିିଛି। ୩ ଛୁଆଙ୍କୁ ବିଷ ପିଆଇ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଛି। ବିଷ କ୍ରିୟାରେ ୨ କୁନି ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା’-ଝିଅ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମହିଳା ଜଣକ ଦିନ ମଜୁରିଆ ଭାବେ କାମ କରନ୍ତି। ୪ ଜଣ ଘର ଭିତରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ମହିଳାଙ୍କ ଜଣେ ସମ୍ପର୍କୀୟ ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୪ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ୨ଛୁଆଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।