ମହାକାଳପଡ଼ା, ୫ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):ଓଡ଼ିଶାର କଳା ସଂସ୍କୃତି ପରମ୍ପରା ମହାନ୍। ପ୍ରାଚୀନ ଲୋକକଳା ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଡିଜିଟାଲ ଯୁଗରେ ଚାଲିଛି ସଂଗ୍ରାମ। ବୟସର ଅପରାହ୍ନରେ ଚମ ଧୁଡୁଧୁଡୁ ଶରୀରରେ ପାଦକୁ ଅବିଶ୍ରାନ୍ତ ନାହିଁ। କେନ୍ଦରାର ସୁମଧୁର ସୁର ଆଗରେ ହାର ମାନିଛି ବୟସ। ମୁଖରୁ ଅନର୍ଗଳ ବାହାରୁଛି ଟୀକା ଗୋବିନ୍ଦ ଚନ୍ଦ୍ରଙ୍କ ରଚିତ ଭଜୁକି ନା ରାମ ନାମରେ ରାଜନ୍ ଭଜୁକି ନା ରାମ ନାମ..। ଦିନ ଥିଲା ଗଁା ଗଣ୍ଡାରେ ପ୍ରାଚୀନ ସଂସ୍କୃତି ଲୋକକଳା କେନ୍ଦରା ସ୍ବର ବେଶ୍ ମନ ମୋହୁଥିଲା। ଘର ଅଗଣାରେ ଯୋଗୀ ପୁଅ କେନ୍ଦରା ଗୀତରେ କାନରେ ବାଜିବା ମାତ୍ରେ ଘରର ନୂଆ ବୋହୂ ଶ୍ରଦ୍ଧାର ସହ ଚାଉଳ ମୁଠେ, ଟଙ୍କା, ପଇସା, ପନିପରିବା ଯିଏ ଯାହା ପାଇଲା ଯୋଗୀ ନାଉଥାଳରେ ଅଜାଡ଼ି ଦେଉଥିଲେ। ଏବେ ଆଧୁନିକ ବା ଡିଜିଟାଲ ଯୁଗରେ ଲୋକକଳା ବିଲୁପ୍ତହେବାକୁ ବସିଲାଣି। ଆଉ ଖରା ବେଳେ ଗଁା ମୁଣ୍ଡ ବରଗଛ ମୂଳେ ଯୋଗୀ ପୁଅର ଧୁନ୍ ଶୁଭୁନାହିଁ।
କେନ୍ଦ୍ରାପଡ଼ା ଜିଲା ପୁନ୍ଦାଳ କଉଡ଼ିଆ ବାରି ଅଞ୍ଚଳର ଚକ୍ରଧର ନାଥ (୮୦) ଓ ବିଜୟ ନାଥ (୬୦) ପ୍ରଚଣ୍ଡ ଖରାକୁ ଖାତିର ନ କରି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ଦେଖିବାକୁ ମିଳିଛି। ବ୍ଲକ୍ ଅଧୀନ ମହାକାଳପଡ଼ା ଓ ମଙ୍ଗଳପୁର ସମେତ ଗଁାକୁ ଗଁା ବୁଲି ଲୋକଙ୍କୁ ଭଗବାନଙ୍କ ବାଣୀ ଓ ହରି କଥାମୃତ କେନ୍ଦରାର ସୁରେ ସୁରେ ଶୁଣାଇଥାନ୍ତି। ଏହି ଗୀତକୁ କାନ ଡେରି ଶୁଣିବା ପାଇଁ ଆବାଳ ବୃଦ୍ଧ ବନିତା ଧାଇଁ ଆସୁଛନ୍ତି। ୨ ବରିଷ୍ଠ କେନ୍ଦରା ବାଦକଙ୍କ କହିବା କଥା ଏହି କୌଳିକ ବୃତ୍ତି ପାଞ୍ଚ ପିଢ଼ି ଧରି ଚାଲି ଆସୁଛି। ତେବେ ଆମ ପିଢ଼ି ପରେ ଆଉ ଗଁା ଗଁାରେ କେନ୍ଦରାର ଗୀତ ଶୁଭିବ ନାହିଁ। ପିଲାବେଳୁ ବାପା ଜେଜେଙ୍କଠାରୁ ଶିକ୍ଷା ଗ୍ରହଣ କରିଛୁ। ଏହି ବାଦ୍ୟ ସୃଷ୍ଟି ଆରମ୍ଭରୁ ରହିଛି। ଏହି ବାଦ୍ୟକୁ ଅନୁକରଣ କରାଯାଇ ଅନ୍ୟ ବାଦ୍ୟ ସୃଷ୍ଟି କରାଯାଇଛି। ଦିନ ଥିଲା ରାଜାରାଜୁଡ଼ାଙ୍କ ରାଜ ସଭାରେ କେନ୍ଦରା ଗୀତକୁ ପ୍ରାଧାନ୍ୟ ଦିଆଯାଉଥିଲା। ବିଶେଷକରି ରାଜ ଦରବାରରେ ମହାରାଣୀଙ୍କ ମାନ ଭଞ୍ଜନ ପାଇଁ ସେ ସମୟର ସଙ୍ଗୀତଗୁଡ଼ିକୁ କେନ୍ଦରା ମାଧ୍ୟମରେ ସ୍ବର କରାଯାଇ ଅତି ଚମତ୍କାର ଭାବେ ରାଜସଭାରେ ଉପସ୍ଥାପନ କରାଯାଇଥିଲା। ରାଜ ନଅରରେ ଅନୁଷ୍ଠିତ ହେଉଥିବା ପୂଜାପାର୍ବଣରେ କେନ୍ଦରା ବାଦକକୁ ଖୋଜା ପଡୁଥିଲା। ରାଜା ଖୁସି ହୋଇ ପୁରସ୍କାର ପ୍ରଦାନ କରୁଥିଲେ ବୋଲି ବାପା ଜେଜେଙ୍କଠାରୁ ଶୁଣିଛୁ। ସମୟ ବଦଳିବା ସାଙ୍ଗକୁ ଡିଜିଟାଲ ଯୁଗରେ କେନ୍ଦରା ତା’ର ସତ୍ତା ହରାଇନାହିଁ। ଯଦି ସରକାର କେନ୍ଦରା ବାଦକମାନଙ୍କ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତି ପରମ୍ପରା ଓ ଅସ୍ମିତା ଅକ୍ଷୁଣ୍ଣ ରହନ୍ତା ବୋଲି ୨ ବରିଷ୍ଠ କେନ୍ଦରା ବାଦକ କହିଛନ୍ତି।