Categories: ଜାତୀୟ

ମୋଦିଙ୍କ କାନରେ ଏଭଳି କହିଲେ ମୁସଲମାନ୍‌ ଯୁବକ…

କୋଲକାତା,୭।୪: ପଶ୍ଚିମବଙ୍ଗରେ ଏପ୍ରିଲ ୩ରେ ସୋନାରପୁରଠାରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଏହି ସମୟରେ ମୁସଲମାନ ଯୁବକ ଜୁଲଫିକର ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ୍‌ କରିଥିଲେ। ହେଲିପ୍ୟାଡ୍‌ ନିକଟରେ ହେଲିକପ୍ଟର ଶବ୍ଦରେ କିଛି ଶୁଣି ହେଉନଥିବାରୁ ଜୁଲଫିକର ମୋଦିଙ୍କ କାନରେ କିଛି କହୁଥିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ପ୍ରଧାନମନ୍ତ୍ରୀଙ୍କ କାନରେ କ’ଣ କହୁଥିଲେ ତାହା ପରେ ପ୍ରକାଶ କରିଛନ୍ତି। ମୋଦି ପ୍ରଥମେ ନାମ ପଚାରିଥିଲେ। ଜୁଲଫିକର ନିଜର ନାମ କହିବା ପରେ ସେ କ’ଣ ହେବାକୁ ଚାହୁଁଛନ୍ତି ବୋଲି ମୋଦି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଜୁଲଫିକର କହିଥିଲେ ଯେ, ମୁଁ କାଉନସିଲର ହେବାକୁ ଚାହୁଁନି, ବିଧାୟକ ହେବାକୁ ଚାହେଁନା ଅବା ଏମ୍‌ପି ହେବାକୁ ମଧ୍ୟ ଚାହୁଁନାହିଁ। ରାଷ୍ଟ୍ରହିତରେ କାମ କରିବା ମୋର ଉଦ୍ଦେଶ୍ୟ। ଏହା ଶୁଣିବା ପରେ ମୋଦି ଖୁବ୍‌ ଶୀଘ୍ର ପୁଣି ସାକ୍ଷାତ୍‌ ହେବ ବୋଲି କହିଥିଲେ। ଏହାପରେ ମୋଦି ପଚାରି ଥିଲେ ଏବେ କ’ଣ ଚାହୁଁଛ। ଜୁଲଫିକର ମୋଦିଙ୍କ ସହିତ ଫଟୋ ଉଠାଇବା ପାଇଁ କହିବା ସହିତ ପକେଯରୁ ଫୋନ୍‌ କାଢ଼ିବାକୁ ହାତ ବଢ଼ାଇଥିଲେ। ତେବେ ମୋଦି ତାଙ୍କ ସହିତ ଥିବା ଫଟୋଗ୍ରାଫରଙ୍କୁ ଇସାରା ଦେଇଥିଲେ। ଏହାପରେ ମୋଦି ଏବଂ ଜୁଲଫିକରଙ୍କର ଫଟୋ ଉଠିବାରେ ଲାଗିଥିଲା।

Share