ବଲାଙ୍ଗୀର,୧୮ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ବାରମ୍ବାର ଦେହ ଭଲ ନ ହେବାରୁ ପରିବାର ଲୋକେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ। ତାନ୍ତ୍ରିକ ଜଣକ ଭଲ କରିଦେବାକୁ କହି ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚିରେ ଆଘାତ କରିଥିଲେ। ଫଳରେ ଯୁବତୀ ଜଣକ ଗୁରୁତର ହୋଇଥିଲେ। ସିନ୍ଧେକେଲା ଥାନା ଅନ୍ତର୍ଗତ ଇଚଗାଁର ବିଷ୍ଣୁ ବେହେରାଙ୍କ ଝିଅ ରେସ୍ମା ବେହେରା (୧୯) ଗୁଣିଗାରେଡ଼ି ଚିକିତ୍ସା କରି ଅଡୁଆରେ ପଡ଼ିଛନ୍ତି। ଗତ ୨୦୨୦ ମସିହାରେ ରେସ୍ମାଙ୍କ ମା ରେବତୀଙ୍କ ମୃତ୍ୟୁ ହୋଇଥିଲା। ଫଳରେ ସେହିଦିନଠୁ ଅନେକ ସମୟରେ ଯୁବତୀ ଜଣକ ଚମକି ପଡୁଥିଲେ। କଣ୍ଟାବାଞ୍ଜି ଡାକ୍ତରଙ୍କୁ ଦେଖାଇଲା ପରେ ମଧ୍ୟ ସେ ଭଲ ନ ହେବାରୁ କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ତାନ୍ତ୍ରିକ ତେଜରାଜ ରଣା ପାଖକୁ ଯାଇଥିଲେ ରେସ୍ମାଙ୍କ ପରିବାର ଲୋକେ। ଏକ ବନ୍ଦ କୋଠରି ଭିତରେ ତେଜରାଜ, ତାଙ୍କ ସ୍ତ୍ରୀ ଓ ଖଗେଶ୍ବର ରଣା ଏହି ତିନି ଜଣ ମିଶି ରେସ୍ମାଙ୍କ ମୁଣ୍ଡରେ ଛୁଞ୍ଚିରେ ଅନେକ ଥର ଆଘାତ କରିଥିଲେ। ୪ ବର୍ଷ ପରେ ରେସ୍ମାଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବାରୁ ବୁଧବାର ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲରେ ରେସ୍ମାଙ୍କୁ ଭର୍ତ୍ତି କରିଥିଲେ। ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକେ ବୁଧବାର ୪ଟାରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କଲା ପରେ ରାତି ୯ଟାରେ ଜାମୁଟଝୁଲା ଗାଁର ତାନ୍ତ୍ରିକ ତେଜରାଜ ରଣାଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଥିବା ଜଣାପଡ଼ିଛି।