Categories: ବାଣିଜ୍ୟ

ଜୟପୁରରେ ସ୍ଥାପନ ହେବ ନୂଆ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର

ନୂଆଦିଲ୍ଲୀ: ଜୟପୁରରେ ଏକ ସ୍ବୟଂକ୍ରିୟ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର ସ୍ଥାପନ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ନୋଟ୍‌ର ବର୍ଦ୍ଧିତ ପ୍ରଚଳନକୁ ଧ୍ୟାନରେ ରଖି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ଯୋଜନା ହାତକୁ ନେବ ବୋଲି ଜଣାପଡ଼ିଛି। ଏହି ସେଣ୍ଟରଟି ବ୍ୟାଙ୍କ ଶାଖା ଏବଂ କରେନ୍ସି ଚେଷ୍ଟରୁ ନୋଟ୍‌ ଗ୍ରହଣ କରିବ। ନୋଟ୍‌ର ସଂରକ୍ଷଣ ଏବଂ ବଣ୍ଟନ ଦିଗରେ ଏହା ମଧ୍ୟ କାର୍ଯ୍ୟ କରିବ। ଖରାପ ହୋଇଯାଇଥିବା ବ୍ୟାଙ୍କ ନୋଟ୍‌ଗୁଡିକୁ ସ୍ବୟଂକ୍ରିୟ ଭାବେ ନଷ୍ଟକରିବା ଭଳି କାର୍ଯ୍ୟ ଏହି ସେଣ୍ଟର କରିବ। ବର୍ତ୍ତମାନ ଡିଜିଟାଲ ନେଣଦେଣ ବଢିବା ସହ ନଗଦ କାରବାର ମଧ୍ୟ ବଢିଛି। ୨୦୦୧ ମାର୍ଚ୍ଚରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ନଗଦ କାରବାର ପ୍ରାୟ ୪ ଗୁଣ ବଢିଛି। ପରିବର୍ତ୍ତିତ ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଏଭଳି ସେଣ୍ଟର ସ୍ଥାପନ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ନୋଟ୍‌ ପ୍ରିଣ୍ଟିଂ ପ୍ରେସ୍‌ ଏବଂ ଇସ୍ୟୁ କାର୍ଯ୍ୟାଳୟଗୁଡିକରୁ ବ୍ୟାଙ୍କ ନୋଟ୍‌ ଗ୍ରହଣ ଏବଂ ସଂରକ୍ଷଣ ଭଳି କାର୍ଯ୍ୟ ନୂଆ ସେଣ୍ଟରରେ ସ୍ବୟଂକ୍ରିୟ ଭାବେ ହୋଇପାରିବ। ବର୍ତ୍ତମାନ ସାରା ଦେଶରେ ଆର୍‌ବିଆଇର ୪ଟି ନୋଟ ୍‌ ପ୍ରିଣ୍ଟିଂ ପ୍ରେସ୍‌ ରହିଛି। ସେହିଭଳି କଏନ ପ୍ରସ୍ତୁତି ଲାଗି ୪ଟି ୟୁନିଟ ରହିଛି। ସାରା ଦେଶରେ ବ୍ୟାଙ୍କଗୁଡିକର ରହିଥିବା ୧୯ ଇସ୍ୟୁ କାର୍ଯ୍ୟାଳୟ ଏହି ନୋଟ୍‌ ଏବଂ କଏନ ଲାଭ କରିଥାନ୍ତି। ପରେ ଏହାକୁ ବ୍ୟାଙ୍କଗୁଡିକର ୩,୩୦୦ କରେନ୍ସି ଚେଷ୍ଟକୁ ପଠାଯାଇଥାଏ। ଏହି କରେନ୍ସି ଚେଷ୍ଟଗୁଡିକରୁ ବ୍ୟାଙ୍କ ଶାଖା ଏବଂ ଏଟିଏମ୍‌ଗୁଡିକୁ ଅର୍ଥ ପଠାଯାଇଥାଏ।

Share