Categories: ଖେଳ

ଓଡ଼ିଶା ଫୁଟ୍‌ବଲରେ ନୂଆ ଅଧ୍ୟାୟ

ଭୁବନେଶ୍ୱର, ୧ା୬ (ସ୍ପୋଟର୍‌ସ ବ୍ୟୁରୋ): ଜୁନ୍‌ ୯ରୁ ଓଡ଼ିଶାରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଫୁଟବଲରେ ଏକ ଐତିହାସିକ ନିଷ୍ପତ୍ତି ଭାବରେ ଓଡ଼ିଶା ଫୁଟବଲ ଏକାଡେମୀ, ଭୁବନେଶ୍ୱର ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଆରେନାକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଉପସ୍ଥିତ ରହି ଓଡ଼ିଶା ଫୁଟବଲରେ ନୂଆ ଯୁଗକୁ ସ୍ବାଗତ କରିଥିଲେ। ୯୦ କୋଟି ଟଙ୍କା ବ୍ୟୟରେ ଏହି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ନିର୍ମିତ ହୋଇଥିବା ବେଳେ ଏହା ମଧ୍ୟରେ ସାମିଲ ରହିଛି ୬ଟି ଫିଫା ମଞ୍ଜୁରୀପ୍ରାପ୍ତ ପିଚ୍‌। ଏହା ମଧ୍ୟରେ ରହିଛି ୫ଟି ପ୍ରାକୃତିକ ଓ ଗୋଟିଏ ସିନ୍ଥେଟିକ୍‌ ପିଚ୍‌। ଏହା ବ୍ୟତୀତ ଏଲ୍‌ଇଡି ଫ୍ଲଡ୍‌ ଲାଇଟ୍ସ, ଚେଞ୍ଜିଙ୍ଗ ରୁମ୍‌, ଗ୍ୟାଲେରି, ଜିମ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି। ସହରର କେନ୍ଦ୍ରରେ ଏହି ୩ଟି ଯାକ ପ୍ରଶିକ୍ଷଣ କେନ୍ଦ୍ର ରହିଥିବାରୁ ବଡ ଟୁର୍ନାମେଣ୍ଟ ସମୟରେ ଏକାଧିକ ଦଳର ଅଭ୍ୟାସ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ।
ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ଓଡ଼ିଶା ଫୁଟବଲ ଏକାଡେମୀ, ଭୁବନେଶ୍ୱର ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଆରେନାକୁ ଉଦ୍‌ଘାଟନ କରିବା ସମୟରେ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରୀଡା ଭିତ୍ତିଭୂମି ଓଡ଼ିଶାରେ ଫୁଟବଲର ବିକାଶରେ ଅଗ୍ରଣୀ ଭୂମିକା ନିର୍ବାହ କରିବ। ଏହା ଉଦ୍‌ଘାଟିତ ହେବା ସହିତ ଓଡ଼ିଶାରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହ ଫୁଟବଲର ବିକାଶ ପାଇଁ ଏକ ପାରିପାର୍ଶ୍ୱିକ ସ୍ଥିତି ସୃଷ୍ଟି ହେବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ୩ଟି ଯାକ ପ୍ରଶିକ୍ଷଣ କେନ୍ଦ୍ରରେ ସମସ୍ତ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବାକୁ ପ୍ରୟାସ କରାଯାଇଛି। ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ର କ୍ରୀଡା ବିକାଶରେ ସରକାରଙ୍କ ବଦ୍ଧପରିକରତା ଦର୍ଶାଉଛି। ଯୁବ ଖେଳାଳିମାନଙ୍କୁ ଫୁଟବଲକୁ କ୍ୟାରିୟର କରିବା ପାଇଁ ଏହା ଅନୁପ୍ରାଣିତ କରିବ। ଭବିଷ୍ୟତରେ ଏହା ଓଡ଼ିଶାକୁ ଦେଶର ଫୁଟବଲ ହବ୍‌ରେ ପରିଣତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ କେନ୍ଦ୍ରାପଡାର ଆଳିରେ ରହିଥିବା ମହିଳା ଫୁଟବଲ ଏକାଡେମୀରେ ଆର୍ଟିଫିସିଆଲ ଟର୍ଫ ବିଛାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ୍‌ ଆଳି ଗସ୍ତ କରି ଫୁଟବଲରମାନଙ୍କ ସହିତ କଥା ହୋଇଥିଲେ।
୩ଟି ଯାକ ସେଣ୍ଟରରେ ୬-୧୨ ବର୍ଷ ବୟସର ଶିଶୁମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ, ଯାହା ଦ୍ୱାରା ତୃଣମୂଳ ସ୍ତରରୁ ଫୁଟବଲର ବିକାଶ ସମ୍ଭବ ହେବ। ଏହା ବ୍ୟତୀତ ରେଫରି ଓ କୋଚ୍‌ଙ୍କ ପାଇଁ ଏଜୁକେଶନ ପ୍ରୋଗ୍ରାମ ଲଞ୍ଚ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୬ ଓ ୧୯ ବର୍ଷରୁ କମ୍‌ ଜାତୀୟ ଦଳ ସହିତ ଓଡ଼ିଶା ଏଫ୍‌ସି(ପୁରୁଷ, ମହିଳା ଓ ଯୁବ ଦଳ) ଓ ରାଜ୍ୟର ପୁରୁଷ ଓ ମହିଳା ଦଳ ଏହି ଷ୍ଟାଡିୟମକୁ ଅଭ୍ୟାସ ପାଇଁ ବ୍ୟବହାର କରିପାରିବେ। ରାଜ୍ୟର ବିଭିନ୍ନ ଏକାଡେମୀର ୧୩, ୧୫ ଓ ୧୮ ବର୍ଷରୁ କମ୍‌ ବୟସ ବର୍ଗର ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହେବ। ଫାଓ ଲିଗ୍‌, ଓଡ଼ିଶା ଓମେନ୍ସ ଲିଗ୍‌ ଓ ସ୍କୁଲ ଲିଗ୍‌ ପରି ଟୁର୍ନାମେଣ୍ଟଗୁଡିକ ମଧ୍ୟ ଏହି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଜୁନ୍‌ ୯ରୁ ହେବାକୁ ଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ସମଗ୍ର ବିଶ୍ୱ ଓଡ଼ିଶାର ଭିତ୍ତିଭୂମି ଦେଖିବାରେ ସମର୍ଥ ହେବ। ଏହି ଟୁର୍ନାମେଣ୍ଟରେ ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଅଂଶଗ୍ରହଣ କରିବେ। ବୁଧବାରର କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଆର୍‌. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

Share