ମୋର ପ୍ରିୟ ଦେଶବାସୀଗଣ,
ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନିଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି। କାଶୀ ସମେତ ଅନେକ ଆସନରେ ମତଦାନ ଚାଲିଛି। ଅନେକ ଅଭିଜ୍ଞତା ଅଛି, ଅନେକ ଅନୁଭୂତି ବି ଅଛି… ମୁଁ ନିଜ ଭିତରେ ଅସୀମ ଶକ୍ତିର ପ୍ରବାହ ଅନୁଭବ କରୁଛିି।
ଏହି ୨୪ ନିର୍ବାଚନରେ ଅନେକ ସୁଖଦ ସଂଯୋଗ ଦେଖିବାକୁ ମିଳିଛି। ଅମୃତକାଳର ଏହି ପ୍ରଥମ ଲୋକ ସଭା ନିର୍ବାଚନରେ ମୁଁ ୧୮୫୭ ମସିହାର ପ୍ରଥମ ସ୍ବାଧୀନତା ସଂଗ୍ରାମର ପ୍ରେରଣାସ୍ଥଳୀ ମେରଟରୁ ପ୍ରଚାର ଆରମ୍ଭ କରିଥିଲି। ମା’ ଭାରତୀର ପରିକ୍ରମା କରି ଏହି ନିର୍ବାଚନର ମୋର ଶେଷ ସଭା ପଞ୍ଜାବର ହୋସିଆରପୁରଠାରେ ଅନୁଷ୍ଠିତ ହୋଇଥିଲା। ସନ୍ଥ ରବିଦାସଜୀଙ୍କ ତପୋଭୂମିରେ, ଆମ ଗୁରୁମାନଙ୍କ ଭୂମି ପଞ୍ଜାବରେ ଶେଷ ସଭା ହେବାର ସୌଭାଗ୍ୟ ମଧ୍ୟ ଅତ୍ୟନ୍ତ ସ୍ବତନ୍ତ୍ର। ଏହା ପରେ କନ୍ୟାକୁମାରୀରେ ଭାରତମାତାଙ୍କ ଚରଣରେ ବସିବାର ସୁଯୋଗ ପାଇଥିଲି। ସେହି ପ୍ରାରମ୍ଭିକ ମୁହୂର୍ତ୍ତରେ ମୋ ମନରେ ନିର୍ବାଚନର କୋଳାହଳ ଗୁଞ୍ଜରିତ ହେଉଥିଲା। ସଭା, ଶୋଭାଯାତ୍ରାରେ ମୁଁ ଦେଖିଥିବା ଅଗଣିତ ଚେହେରା ମୋ ଆଖି ସାମ୍ନାକୁ ଆସୁଥିଲା। ମା’, ଭଉଣୀ ଓ ଝିଅମାନଙ୍କର ଅସୀମ ସ୍ନେହର ସେହି ଜୁଆର, ସେମାନଙ୍କ ଆଶୀର୍ବାଦ… ସେହି ବିଶ୍ୱାସ, ଯାହା ସେମାନଙ୍କ ଆଖିରେ ମୋ ପାଇଁ ପ୍ରତିଫଳିତ ହୋଇଥିଲା … ମୁଁ ସବୁ କିଛି ଅନୁଭବ କରୁଥିଲି। ମୋ ଆଖି ଆର୍ଦ୍ର ହୋଇଯାଇଥିଲା… ମୁଁ ଶୂନ୍ୟତା ଭିତରକୁ ଯାଉଥିଲି, ସାଧନାରେ ପ୍ରବେଶ କରୁଥିଲିି।
ଅଳ୍ପ କିଛି ମୁହୂର୍ତ୍ତରେ ରାଜନୈତିକ ବିବାଦ, ଆକ୍ଷେପ ଓ ପ୍ରତିଆକ୍ଷେପ… ଅଭିଯୋଗର ସ୍ବର ଓ ଶବ୍ଦ ଶୂନ୍ୟତା ଭିତରେ ସମାହିତ ହୋଇଯାଇଥିଲା। ମନରେ ଥିବା ବୈରାଗ୍ୟ ଭାବନା ଆହୁରି ତୀବ୍ର ହୋଇଗଲା… ମୋ ମନ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲା।
ଦାୟିତ୍ୱ ମଧ୍ୟରେ ଏଭଳି ସାଧନା କଷ୍ଟକର, କିନ୍ତୁ କନ୍ୟାକୁମାରୀର ମାଟି ଏବଂ ସ୍ବାମୀ ବିବେକାନନ୍ଦଙ୍କ ପ୍ରେରଣା ଏହାକୁ ସହଜ କରିଦେଇଥିଲା। ମୁଁ ମଧ୍ୟ ମୋ କାଶୀ ଭୋଟରଙ୍କ ଚରଣରେ ସାଂସଦ ଭାବେ ମୋର ନିର୍ବାଚନକୁ ଛାଡ଼ି ଏଠାକୁ ଆସିଥିଲିି।
ଭଗବାନଙ୍କ ନିକଟରେ କୃତଜ୍ଞ ଯେ ସେ ମୋତେ ଜନ୍ମରୁ ଏହି ସଂସ୍କାର ଦେଇଛନ୍ତି। ମୁଁ ଏହା ମଧ୍ୟ ଭାବୁଥିଲି ଯେ ସ୍ବାମୀ ବିବେକାନନ୍ଦ ଜୀ ସେହି ସ୍ଥାନରେ ତାଙ୍କ ସାଧନା ସମୟରେ କ’ଣ ଅନୁଭବ କରିଥିବେ ! ମୋ ସାଧନାର କିଛି ଅଂଶ ଏହି ପ୍ରକାର ବିଚାରରେ ପ୍ରବାହିତ ହେଲା।
ବୈରାଗ୍ୟ ମଧ୍ୟରେ, ଶାନ୍ତି ଏବଂ ନୀରବତା ମଧ୍ୟରେ, ମୁଁ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଓ ଲକ୍ଷ୍ୟ ପାଇଁ ନିରନ୍ତର ବିଚାରରେ ବୁଡ଼ିରହିଥିଲି। କନ୍ୟାକୁମାରୀର ଉଦୀୟମାନ ସୂର୍ଯ୍ୟ ମୋ ବିଚାରକୁ ନୂତନ ଉଚ୍ଚତା ଦେଇଥିଲା, ସମୁଦ୍ରର ବିଶାଳତା ମୋ ବିଚାରକୁ ବିସ୍ତାର କରିଥିଲା, ଆଉ ଦିଗନ୍ତର ବିସ୍ତାର ମୋତେ ବ୍ରହ୍ମାଣ୍ଡର ଗଭୀରତାରେ ଥିବା ଏକାତ୍ମ ଭାବନା ଏବଂ ମୁକ୍ତ ବିଚାର ବିଷୟରେ ନିରନ୍ତର ଅନୁଭବ କରାଇଥିଲା। ଲାଗୁଥିଲା, ଯେମିତି କିଛି ଦଶନ୍ଧି ପୂର୍ବେ ହିମାଳୟ କୋଳରେ କରିଥିବା ଚିନ୍ତନ ଓ ଅନୁଭୂତି ପୁନର୍ଜୀବିତ ହେଉଛି।
ସାଥୀମାନେ,
କନ୍ୟାକୁମାରୀର ଏହି ସ୍ଥାନ ସବୁବେଳେ ମୋ ମନର ଅତି ନିକଟତର ରହିଆସିଛି। କନ୍ୟାକୁମାରୀଠାରେ ବିବେକାନନ୍ଦ ଶିଳା ସ୍ମାରକୀକୁ ଏକନାଥ ରାନାଡେଜୀ ନିର୍ମାଣ କରାଇଥିଲେ। ଏକନାଥଜୀଙ୍କ ସହ ମୋତେ ବହୁତ ଭ୍ରମଣ କରିବାର ସୁଯୋଗ ମିଳିଥିଲା। ଏହି ସ୍ମାରକୀ ନିର୍ମାଣ ସମୟରେ କିଛି ସମୟ କନ୍ୟାକୁମାରୀରେ ରହିବା ଓ ଦର୍ଶନ କରିବା ସ୍ବାଭାବିକ ଥିଲା।
କଶ୍ମୀରରୁ କନ୍ୟାକୁମାରୀ… ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଏହା ହେଉଛି ଆମର ସାଧାରଣ ପରିଚୟ। ଏହା ହେଉଛି ସେହି ଶକ୍ତିପୀଠ ଯେଉଁଠାରେ ମା’ ଶକ୍ତି କନ୍ୟାକୁମାରୀ ଭାବରେ ଅବତାର ନେଇଥିଲେ। ଏହି ଦକ୍ଷିଣ ପ୍ରାନ୍ତରେ ମା’ ଶକ୍ତି ତପସ୍ୟା କରି ଭାରତର ଉତ୍ତର ପ୍ରାନ୍ତରେ ହିମାଳୟରେ ବସିଥିବା ଭଗବାନ୍ ଶିବଙ୍କୁ ଅପେକ୍ଷା କରି ରହିଥିଲେ।
ହେଉଛି ସଙ୍ଗମସ୍ଥଳୀର ଭୂମି। ଆମ ଦେଶର ପବିତ୍ର ନଦୀଗୁଡ଼ିକ ବିଭିନ୍ନ ସମୁଦ୍ରରେ ମିଶିଥାନ୍ତି ଏବଂ ଏଠାରେ ସେହି ସମୁଦ୍ରମାନେ ମିଶିଛନ୍ତି। ଏଠାରେ ଆଉ ଏକ ମହାନ୍ ସମାଗମ ହୋଇଥାଏ – ଭାରତର ଆଦର୍ଶଗତ ସଙ୍ଗମ!
ବିବେକାନନ୍ଦ ଶିଳା ସ୍ମାରକୀ ସହିତ ସନ୍ଥ ତିରୁୱଲ୍ଲୁବରଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି, ଗାନ୍ଧୀ ମଣ୍ଡପମ୍ ଏବଂ କାମରାଜ୍ର ମଣି ମଣ୍ଡପମ୍ ରହିଛି। ମହାନ୍ ବୀରମାନଙ୍କର ବିଚାର ଏଠାରେ ରାଷ୍ଟ୍ର ଚିନ୍ତନର ସଙ୍ଗମ ସୃଷ୍ଟି କରିଥାଏ। ଏହା ଦ୍ୱାରା ରାଷ୍ଟ୍ର ନିର୍ମାଣ ପାଇଁ ମହାନ୍ ପ୍ରେରଣା ସୃଷ୍ଟି ହୋଇଥାଏ। ଯେଉଁମାନେ ଭାରତ ଓ ରାଷ୍ଟ୍ରର ଏକତା ଉପରେ ସନ୍ଦେହ କରନ୍ତି, ସେମାନଙ୍କୁ କନ୍ୟାକୁମାରୀର ଏହି ଭୂମି ଏକତାର ଏକ ଅବିସ୍ମରଣୀୟ ବାର୍ତ୍ତା ଦେଇଥାଏ।
କନ୍ୟାକୁମାରୀରେ ଥିବା ସନ୍ଥ ତିରୁୱଲ୍ଲୁବରଙ୍କ ବିଶାଳ ପ୍ରତିମୂର୍ତ୍ତି ସମୁଦ୍ରରୁ ମା’ ଭାରତୀଙ୍କ ବିସ୍ତାରକୁ ଦେଖୁଥିବା ପ୍ରତୀୟମାନ ହୋଇଥାଏ। ତାଙ୍କ ରଚନା ‘ତିରୁକୁରଲ’ ତାମିଲ ସାହିତ୍ୟର ରତ୍ନ ସହ ଜଡ଼ିତ ଏକ ମୁକୁଟ ପରି। ଏଥିରେ ଜୀବନର ପ୍ରତ୍ୟେକ ଦିଗକୁ ବର୍ଣ୍ଣନା କରାଯାଇଛି, ଯାହା ଆମକୁ ନିଜ ପାଇଁ ଏବଂ ଦେଶ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥାଏ। ଏପରି ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ମଧ୍ୟ ମୋର ବଡ଼ ସୌଭାଗ୍ୟ।
ସାଥୀମାନେ,
ସ୍ବାମୀ ବିବେକାନନ୍ଦ କହିଥିଲେ- ପ୍ରତ୍ୟେକ ରାଷ୍ଟ୍ରର ଏକ ବାର୍ତ୍ତା ଥାଏ, ପୂରଣ କରିବା ଲାଗି ଏକ ଲକ୍ଷ୍ୟ ଥାଏ, ପହଞ୍ଚତ୍ବା ପାଇଁ ଏକ ଭାଗ୍ୟ ଥାଏ।
ହଜାର ହଜାର ବର୍ଷ ଧରି ଭାରତ ଏହି ଭାବନା ସହିତ ସାର୍ଥକ ଉଦ୍ଦେଶ୍ୟ ନେଇ ଆଗେଇ ଚାଲିଛି। ଭାରତ ହଜାର ହଜାର ବର୍ଷ ଧରି ବିଭିନ୍ନ ବିଚାରର ଗବେଷଣା କେନ୍ଦ୍ର ପାଲଟିଛି। ଆମେ ଆର୍ଥିକ କିମ୍ବା ଭୌତିକ ମାନଦଣ୍ଡରେ ଯାହା ଅର୍ଜିତ କରିଥିଲୁ ତାହାକୁ ଆମର ବ୍ୟକ୍ତିଗତ ପୁଞ୍ଜି କେବେ ବି ଭାବିନାହୁଁ। ସେଥିପାଇଁ ‘ଇଦଂ ନ ମମ’ ଏହା ଭାରତ ଚରିତ୍ରର ଏକ ପ୍ରାକୃତିକ ଓ ସ୍ବାଭାବିକ ଅଙ୍ଗ ପାଲଟିଯାଇଛିି।
କଲ୍ୟାଣ ମାଧ୍ୟମରେ ବିଶ୍ୱକଲ୍ୟାଣ ଏବଂ ଭାରତର ପ୍ରଗତି ମାଧ୍ୟମରେ ବିଶ୍ୱର ପ୍ରଗତି, ସ୍ବାଧୀନତା ଆନ୍ଦୋଳନ ମଧ୍ୟ ଏହାର ଏକ ବଡ଼ ଉଦାହରଣ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହୋଇଥିଲା। ସେତେବେଳେ ପୃଥିବୀର ଅନେକ ଦେଶ ଦାସତ୍ୱରେ ଥିଲେ। ଭାରତର ସ୍ବାଧୀନତା ମଧ୍ୟ ସେହି ଦେଶଗୁଡ଼ିକୁ ପ୍ରେରଣା ଦେଇଥିଲା ଓ ସୁଦୃଢ଼ କରିଥିଲା, ଫଳରେ ସେମାନେ ସ୍ବାଧୀନତା ପାଇଥିଲେ। ନିକଟରେ କରୋନା ଭଳି କଠିନ ସମୟର ଉଦାହରଣ ମଧ୍ୟ ଆମ ସାମ୍ନାରେ ରହିଛି। ଯେତେବେଳେ ଗରିବ ଏବଂ ବିକାଶଶୀଳ ଦେଶଗୁଡ଼ିକ ବିଷୟରେ ଆଶଙ୍କା ପ୍ରକାଶ କରାଯାଉଥିଲା, ଭାରତର ସଫଳ ପ୍ରୟାସ ସେସବୁ ଦେଶକୁ ଉତ୍ସାହିତ କରିଥିଲା ଏବଂ ସେମାନଙ୍କୁ ସହଯୋଗ ମଧ୍ୟ ମିଳିଲା।
ଆଜି ଭାରତର ଶାସନ ମଡେଲ ବିଶ୍ୱର ଅନେକ ଦେଶ ପାଇଁ ଉଦାହରଣ ପାଲଟିଛି। ମାତ୍ର ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବା ଅଭୂତପୂର୍ବ। ଜନହିତକର ସୁଶାସନ, ଆକାଂକ୍ଷୀ ଜିଲା, ଆକାଂକ୍ଷୀ ବ୍ଲକ ଭଳି ଅଭିନବ ପରୀକ୍ଷଣ ଆଜି ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଗରିବଙ୍କୁ ସଶକ୍ତ କରିବାଠାରୁ ଆରମ୍ଭ କରି ଅନ୍ତିମ ସୋପାନରେ ସୁବିଧା ଓ ସେବା ପହଞ୍ଚାଇବା ପର୍ଯ୍ୟନ୍ତ ଅନ୍ତିମ ପଂକ୍ତିରେ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବା ପାଇଁ ଆମର ପ୍ରୟାସ ବିଶ୍ୱକୁ ପ୍ରେରଣା ଦେଇଛି। ଆମେ କିପରି ଗରିବମାନଙ୍କୁ ସଶକ୍ତ କରିବା, ସ୍ବଚ୍ଛତା ଆଣିବା ଏବଂ ସେମାନଙ୍କୁ ଅଧିକାର ଦେବା ପାଇଁ ପ୍ରଯୁକ୍ତିର ବ୍ୟବହାର କରିପାରିଛୁ, ବିଶ୍ୱ ପାଇଁ ତାହାର ଏକ ଶ୍ରେଷ୍ଠ ଉଦାହରଣ ପାଲଟିଛି ଭାରତର ଡିଜିଟାଲ ଇଣ୍ଡିଆ ଅଭିଯାନ। ଭାରତରେ ଶସ୍ତା ଡାଟା ଗରିବ ଲୋକଙ୍କୁ ସୂଚନା ଓ ସେବା ମିଳିବା ସୁନିଶ୍ଚିତ କରି ସାମାଜିକ ସମାନତାର ମାଧ୍ୟମ ପାଲଟିଛି। ସମଗ୍ର ବିଶ୍ୱ ପ୍ରଯୁକ୍ତିବିଦ୍ୟାର ଏହି ସାର୍ବଜନୀନକରଣକୁ ଗବେଷଣା ଦୃଷ୍ଟିକୋଣରୁ ଦେଖୁଛି ଏବଂ ବଡ଼ ବଡ଼ ବୈଶ୍ୱିକ ସଂଗଠନଗୁଡ଼ିକ ଆମ ମଡେଲରୁ ଶିଖିବା ପାଇଁ ଅନେକ ଦେଶକୁ ପରାମର୍ଶ ଦେଉଛନ୍ତିି।
ଭାରତର ପ୍ରଗତି ଏବଂ ଭାରତର ଉନ୍ନତି କେବଳ ଭାରତ ପାଇଁ ଏକ ବଡ଼ ସୁଯୋଗ ନୁହେଁ। ସମଗ୍ର ବିଶ୍ୱରେ ଥିବା ଆମର ସମସ୍ତ ସାଥୀ ଦେଶଗୁଡ଼ିକ ପାଇଁ ମଧ୍ୟ ଏହା ଏକ ଐତିହାସିକ ଅବସର। ଜି-୨୦ର ସଫଳତା ପରେ ଭାରତର ଏହି ଭୂମିକାକୁ ବିଶ୍ୱ ଅଧିକ ମୁଖର ହୋଇ ଗ୍ରହଣ କରୁଛି। ଆଜି ଭାରତ ଗ୍ଲୋବାଲ ସାଉଥ୍ ବା ଦକ୍ଷିଣ ବିଶ୍ୱର ଏକ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ବର ଭାବରେ ସ୍ବୀକୃତି ହାସଲ କରିଛି। ଭାରତ ଉଦ୍ୟମରେ ଆଫ୍ରିକୀୟ ସଂଘ ଜି-୨୦ ରାଷ୍ଟ୍ର ଗୋଷ୍ଠୀରେ ସାମିଲ ହୋଇଥିଲା। ଏହା ସମସ୍ତ ଆଫ୍ରିକୀୟ ଦେଶର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।
ବନ୍ଧୁଗଣ,
ନୂଆ ଭାରତର ଏହି ରୂପ ଆମକୁ ଗର୍ବ ଓ ଗୌରବରେ ଭରି ଦେଇଥାଏ, କିନ୍ତୁ ଏହା ସହିତ ୧୪୦ କୋଟି ଦେଶବାସୀଙ୍କୁ ନିଜ କର୍ତ୍ତବ୍ୟର ମଧ୍ୟ ଅନୁଭବ କରାଇଥାଏ। ଏବେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନ କରି ଆମକୁ ବଡ଼ ଦାୟିତ୍ୱ ଓ ବଡ଼ ଲକ୍ଷ୍ୟ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ। ଆମର ନୂଆ ସ୍ବପ୍ନ ଅଛି। ନିଜ ସ୍ବପ୍ନକୁ ନିଜ ଜୀବନ ଭାବେ ଗ୍ରହଣ କରନ୍ତୁ ଏବଂ ସେହି ସ୍ବପ୍ନକୁ ସାକାର କରିବା ଆରମ୍ଭ କରନ୍ତୁ।
ଭାରତର ବିକାଶକୁ ଏକ ବିଶ୍ୱ ପରିପ୍ରେକ୍ଷୀରେ ଦେଖିବାକୁ ପଡ଼ିବ ଏବଂ ଏଥିପାଇଁ ଆମେ ଭାରତର ଅନ୍ତର୍ନିହିତ ସମ୍ଭାବନାକୁ ବୁଝିବା ଜରୁରୀ। ଆମକୁ ଭାରତର ଶକ୍ତିକୁ ସ୍ବୀକାର ଏବଂ ସୁଦୃଢ଼ କରିବାକୁ ପଡ଼ିବ ଏବଂ ବିଶ୍ୱର ସ୍ବାର୍ଥ ପାଇଁ ଏହାର ପୂର୍ଣ୍ଣ ଉପଯୋଗ କରିବାକୁ ହେବ। ଆଜିର ବୈଶ୍ୱିକ ପରିସ୍ଥିତିରେ, ଏକ ଯୁବ ରାଷ୍ଟ୍ର ଭାବରେ ଭାରତର ସାମର୍ଥ୍ୟ ଆମ ପାଇଁ ଏକ ଏପରି ସୁଖଦ ସଂଯୋଗ, ଯେଉଁଠାରୁ ଆମକୁ ଆଉ ପଛକୁ ଫେରି ଦେଖିବାକୁ ପଡ଼ିବ ନାହିଁି।
ଏକବିଂଶ ଶତାବ୍ଦୀର ବିଶ୍ୱ ଭାରତକୁ ବହୁତ ଆଶାର ସହ ଦେଖୁଛି। ଆହୁରି ବିଶ୍ୱ ପରିପ୍ରେକ୍ଷୀରେ ଆଗକୁ ବଢ଼ିବାକୁ ହେଲେ ଆମକୁ ଅନେକ ପରିବର୍ତ୍ତନ କରିବାକୁ ପଡ଼ିବ। ସଂସ୍କାରକୁ ନେଇ ଆମର ପାରମ୍ପରିକ ଚିନ୍ତାଧାରା ମଧ୍ୟ ଆମକୁ ବଦଳାଇବାକୁ ପଡ଼ିବ। ଭାରତ କେବଳ ସଂସ୍କାରକୁ ଆର୍ଥିକ ପରିବର୍ତ୍ତନରେ ସୀମିତ ରଖିପାରିବ ନାହିଁ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଦିଗରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆମ ସଂସ୍କାର ମଧ୍ୟ ୨୦୪୭ର ବିକଶିତ ଭାରତ ସଂକଳ୍ପ ସହିତ ସମାନ ହେବା ଉଚିତ।
ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ ସଂସ୍କାର କେବେ ବି କୌଣସି ଦେଶ ପାଇଁ ଏକ ଅଲଗା ପ୍ରକ୍ରିୟା ହୋଇପାରିବ ନାହିଁ। ସେଥିପାଇଁ ମୁଁ ଦେଶ ନିମନ୍ତେ ‘ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର’ର ଲକ୍ଷ୍ୟ ରଖିଥିଲି। ସଂସ୍କାରର ଦାୟିତ୍ୱ ନେତୃତ୍ୱ ଉପରେ ରହିଛି। ସେହି ଆଧାରରେ ଆମ ଅମଲାତନ୍ତ୍ର କାର୍ଯ୍ୟ କରିଥାଏ ଏବଂ ତା’ପରେ ଯେତେବେଳେ ଜନସାଧାରଣ ଏଥିରେ ସାମିଲ ହୁଅନ୍ତି, ସେତେବେଳେ ଆମେ ପରିବର୍ତ୍ତନ ଘଟୁଥିବା ଦେଖିଥାଉି।
ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାକୁ ହେଲେ ଆମକୁ ଶ୍ରେଷ୍ଠତାକୁ ମୌଳିକ ଭାବନା ରୂପେ ଗ୍ରହଣ କରିବାକୁ ପଡ଼ିବ। ଆମକୁ ସ୍ପିଡ୍, ସ୍କେଲ୍, ସ୍କୋପ୍ ଓ ଷ୍ଟାଣ୍ଡାର୍ଡ ଅର୍ଥାତ୍ ଗତି, ବ୍ୟାପକତା, ସୁଯୋଗ ଓ ମାନ ଏସବୁ ଦିଗରେ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ। ଆମକୁ ଉତ୍ପାଦନ ସହିତ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପଡିବ, ଆମକୁ ତ୍ରୁଟିଶୂନ୍ୟ-ପ୍ରଭାବ ଶୂନ୍ୟ ବା ଜିରୋ ଡିଫେକ୍ଟ- ଜିରୋ ଇଫେକ୍ଟ ମନ୍ତ୍ର ଗ୍ରହଣ କରିବାକୁ ପଡ଼ିବ।
ସାଥୀମାନେ,
ଆମେ ପ୍ରତି ମୁହୂର୍ତ୍ତରେ ଗର୍ବିତ ହେବା ଉଚିତ ଯେ ଭଗବାନ ଆମକୁ ଭାରତ ମାଟିରେ ଜନ୍ମ ଦେଇଛନ୍ତି। ଭାରତର ସେବା କରିବା ଏବଂ ଏହାର ଶିଖର ଯାତ୍ରାରେ ଆମର ଭୂମିକା ନିର୍ବାହ କରିବାକୁ ଭଗବାନ ଆମକୁ ଚୟନ କରିଛନ୍ତି।
ପ୍ରାଚୀନ ମୂଲ୍ୟବୋଧକୁ ଆଧୁନିକ ସ୍ବରୂପରେ ଗ୍ରହଣ କରି ଆମକୁ ଆମ ଐତିହ୍ୟକୁ ଆଧୁନିକ ଢଙ୍ଗରେ ପୁନଃ ପରିଭାଷିତ କରିବାକୁ ପଡ଼ିବ।
ଏକ ରାଷ୍ଟ୍ର ଭାବରେ ଆମକୁ ପୁରୁଣା ଚିନ୍ତାଧାରା ଏବଂ ମାନ୍ୟତାକୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ। ଆମ ସମାଜକୁ ପେସାଦାର ନିରାଶାବାଦୀଙ୍କ ଚାପରୁ ଆମକୁ ବାହାର କରିବାକୁ ହେବ। ଆମକୁ ମନେରଖିବାକୁ ହେବ ଯେ, ନକାରାତ୍ମକତାରୁ ମୁକ୍ତି ହିଁ ସଫଳତାର ସିଦ୍ଧିରେ ପହଞ୍ଚତ୍ବା ପାଇଁ ପ୍ରଥମ ପୁଞ୍ଜି। ସକାରାତ୍ମକତାର କୋଳରେ ହିଁ ସଫଳତା ମିଳିଥାଏ।
ାରତର ଅସୀମ ଓ ଅମର ଶକ୍ତି ପ୍ରତି ମୋର ଆସ୍ଥା, ଶ୍ରଦ୍ଧା ଓ ବିଶ୍ୱାସ ଦିନକୁ ଦିନ ବଢିବାରେ ଲାଗିଛି। ମୁଁ ଗତ ୧୦ ବର୍ଷ ମଧ୍ୟରେ ଭାରତର ଏହି ସାମର୍ଥ୍ୟକୁ ଅଧିକ ବୃଦ୍ଧି ପାଉଥିବା ଦେଖିଛି ଏବଂ ଏହାକୁ ଅଧିକ ଅନୁଭବ କରିଛିି।
ଯେପରି ବିଂଶ ଶତାବ୍ଦୀର ଚତୁର୍ଥ-ପଞ୍ଚମ ଦଶନ୍ଧିକୁ ସ୍ବାଧୀନତା ପାଇଁ ବ୍ୟବହାର କରିଥିଲୁ, ଠିକ୍ ସେହିଭଳି ଏକବିଂଶ ଶତାବ୍ଦୀର ଏହି ୨୫ ବର୍ଷରେ ଆମକୁ ଏକ ବିକଶିତ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ। ସ୍ବାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ଆଗରେ ବଳିଦାନର ସମୟ ଆସିଥିଲା। ଆଜି ବଳିଦାନର ସମୟ ନୁହେଁ ବରଂ ନିରନ୍ତର ଯୋଗଦାନର ସମୟ।
ସ୍ବାମୀ ବିବେକାନନ୍ଦ ୧୮୯୭ରେ କହିଥିଲେ ଯେ ଆମକୁ ଆଗାମୀ ୫୦ ବର୍ଷ କେବଳ ଦେଶ ପାଇଁ ସମର୍ପିତ କରିବାକୁ ପଡ଼ିବ। ତାଙ୍କ ଆହ୍ବାନର ଠିକ୍ ୫୦ ବର୍ଷ ପରେ ୧୯୪୭ ମସିହାରେ ଭାରତ ସ୍ବାଧୀନ ହୋଇଥିଲା।
ଆମ ପାଖରେ ଏଭଳି ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଆସନ୍ତୁ ଆଗାମୀ ୨୫ ବର୍ଷ କେବଳ ଦେଶକୁ ସମର୍ପିତ କରିବା। ଆମର ଏହି ପ୍ରୟାସ ଆଗାମୀ ପିଢ଼ି ଏବଂ ଆଗାମୀ ଶତାବ୍ଦୀ ପାଇଁ ନୂତନ ଭାରତର ଏକ ମଜଭୁତ ଭିତ୍ତିଭୂମି ଭାବରେ ଅମର ହୋଇରହିବ। ଦେଶର ଶକ୍ତିକୁ ଦେଖି ମୁଁ କହିପାରିବି ଯେ ଏହି ଲକ୍ଷ୍ୟ ଅଧିକ ଦୂରରେ ନାହିଁ। ଆସନ୍ତୁ ତୁରନ୍ତ ପଦକ୍ଷେପ ନେବା… ଆସନ୍ତୁ ମିଳିମିଶି ଆଗକୁ ବଢ଼ିବା, ଭାରତକୁ ବିକଶିତ କରିବା।
ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ
(ବିମାନରେ କନ୍ୟାକୁମାରୀରୁ ଦିଲ୍ଲୀ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୧ ଅପରାହ୍ନ ୪ ଟା୧୫ରୁ ସା ୭ଟା ମଧ୍ୟରେ ଏହି ଆଲେଖ୍ୟ ଲେଖିଥିଲେ)