ନେପାଳରେ ଗଠନ ହେବ ନୂଆ ସରକାର

କାଠମାଣ୍ଡୁ,୧୯ା୧୨: ଡିସେମ୍ବର ୨୨ରେ ନେପାଳରେ ଲୋକ ସଭାର ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସଂସଦ ସଚିବାଳୟ ସୋମବାର ଏହି ସୂଚନା ଦେଇଛନ୍ତି। ନେପାଳରେ ନିକଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କୌଣସି ରାଜନୈତିକ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇ ନ ଥିବାରୁ ସେଠାରେ ସରକାର ଗଠନ କରିବା କଷ୍ଟକର ହୋଇପଡୁଛି। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ରବିବାର ସମ୍ବିଧାନ ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ୭ ଦିନ ମଧ୍ୟରେ ସରକାର ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାର ଗଠନକୁ ନେଇ ରାଜନୈତିକ ଦଳର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପଦ ପାଇଁ ବିଦାୟୀ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଏବଂ ମାଓବାଦୀ ସେଣ୍ଟର (ସିପିଏନ୍‌)ର ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି।

Share