ଭୁବନେଶ୍ୱର,୧୫।୧୦: ରାଜ୍ୟର ପ୍ରମୁଖ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ‘ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଶୁକ୍ରବାର ଏକ ନୂଆ ବ୍ରାଣ୍ଡ୍ ‘କେନ୍କୋ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ବ୍ରାଣ୍ଡ୍ର ନୂତନ ଉତ୍ପାଦଗୁଡିକୁ ମଧ୍ୟ ଉନ୍ମୋଚନ କରାଯାଇଛି। ୪ଟି ଭିନ୍ନ ଭିନ୍ନ ପ୍ରକାରର ଅଣ୍ଡା ଯଥା ହାଇ-ପ୍ରୋ, ବ୍ରାଉନ୍, ଇମ୍ୟୁନୋ ଓ ହାର୍ଟି ବର୍ତ୍ତମାନ ଭୁବନେଶ୍ୱର, କୋଲକାତା ଓ ଗୁଆହାଟୀ ଭଳି ବୃହତ୍ ବଜାରରେ ଉପଲବ୍ଧ ହେଉଛି। ସେହିଭଳି ସାରା ଦେଶର ଗ୍ରାହକମାନେ ପ୍ରମୁଖ ଇ-କର୍ମସ ପ୍ଲାଟ୍ଫର୍ମ ସାଙ୍ଗକୁ ସୁପରମାର୍ଟ ଓ ୪୦୦ରୁ ଅଧିକ ସାଧାରଣ ଦୋକାନଗୁଡ଼ିକରେ ମଧ୍ୟ କେନ୍କୋ ବ୍ରାଣ୍ଡ୍ର ଅଣ୍ଡାଗୁଡିକୁ କ୍ରୟ କରିପାରିବେ ବୋଲି ଫାର୍ମ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡର ସିଇଓ ସମରେନ୍ଦ୍ର ମିଶ୍ର କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଗୁଣାତ୍ମକ ଓ ସ୍ବାସ୍ଥ୍ୟକର ଉତ୍ପାଦ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛୁ। ସେହିଭଳି ଅଣ୍ଡା ବଜାରରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବା ଉପରେ କାର୍ଯ୍ୟ କରିବା ଜାରି ରଖିବୁ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ବିଶ୍ୱ ଅଣ୍ଡା ଦିବସରେ ଆମେ ଆମର ନୂଆ ବ୍ରାଣ୍ଡ୍ କେନ୍କୋର ଉନ୍ମୋଚନକରି ବେଶ୍ ଉତ୍ସାହିତ ଓ ଗର୍ବ ଅନୁଭବ କରୁଛୁ। ଓଡ଼ିଶାର ବଲାଙ୍ଗୀର ଜିଲାରେ ଅବସ୍ଥିତ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟଗୁଡିକୁ ଅନ୍ତର୍ଜାତୀୟ ମାନକ ସହିତ ସର୍ବୋଚ୍ଚ ଗୁଣମାନର ଅଣ୍ଡା ଯୋଗାଉଛି। ଓଭୋ ଫାର୍ମର ୩ଟି ଅତ୍ୟାଧୁନିକ ଫାର୍ମ ଜରିଆରେ ପ୍ରତିଦିନ ୧ମିଲିୟନରୁ ଅଧିକ ଅଣ୍ଡା ଉତ୍ପାଦନ କରାଯାଉଛି। ସେହିଭଳି ଗୁଣାତ୍ମକ ପୋଷଣ-ସମୃଦ୍ଧ ଅଣ୍ଡା ଯୋଗାଇବା ଉପଭୋକ୍ତାଙ୍କ ଜୀବନ ଓ ଜୀବିକାକୁ ସମୃଦ୍ଧ କରିବାର ଏକ ଲକ୍ଷ୍ୟ ସହ ଦୀର୍ଘ ୨୦ବର୍ଷ ହେବ ଫାର୍ମର ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏବଂ ସିଇଓ ସମରେନ୍ଦ୍ର ମିଶ୍ର କଠିନ ପରିଶ୍ରମ ସାଙ୍ଗକୁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି।