ଚିହ୍ନଟ ହେବ ନୂଆ ଲଘୁ ଖଣିଜ ପଦାର୍ଥ ଉତ୍ସ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଲୋକସେବା ଭବନରୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର ଲଘୁ ଖଣିଜ ପଦାର୍ଥର ସମୀକ୍ଷା କରିଥିଲେ। ସମସ୍ତ ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ତହସିଲଦାର ତଥା ଅତିରିକ୍ତ ତହସିଲଦାରମାନଙ୍କୁ ନେଇ ହୋଇଥିବା ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଅଂଶଗ୍ରହଣ କରିଥିଲେ। ସମୀକ୍ଷା ବେଳେ ମୁଖ୍ୟତଃ ଲଘୁଖଣିଜ ପଦାର୍ଥ ଉତ୍ସର ବନ୍ଦୋବସ୍ତ ଏବଂ କାର୍ଯ୍ୟକ୍ଷମଶୀଳତା, ନୂତନ ଓ ବୃହତ୍‌ ଲଘୁଖଣିଜ ପଦାର୍ଥ ଉତ୍ସର ଚିହ୍ନଟ, ରାଜସ୍ବ ଆଦାୟର ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଲଘୁଖଣିଜ ପଦାର୍ଥ ଉତ୍ସର ବନ୍ଦୋବସ୍ତ ଓ କାର୍ଯ୍ୟକ୍ଷମ ପ୍ରକ୍ରିୟାକୁ ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବା ସହ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ ଉତ୍ସର ଚିହ୍ନଟ ପାଇଁ ମନ୍ତ୍ରୀ ମାରାଣ୍ଡି ସମସ୍ତ ଜିଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରେ ଲଘୁ ଖଣିଜ ପଦାର୍ଥରୁ ହଜାରେ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଲଘୁ ଖଣିଜ ପଦାର୍ଥର ଚୋରିକୁ ରୋକିବା ନିମନ୍ତେ ପ୍ରବର୍ତ୍ତନ (ଏନ୍‌ଫୋର୍ସମେଣ୍ଟ) କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

Share