ଧର୍ମଶାଳା ରାଜନୀତିରେ ନୂଆ ମୋଡ: ହିମାଂଶୁ, ପ୍ରଣବଙ୍କ ବିବାଦ ତେଜିଲା

ଯାଜପୁର/ଧର୍ମଶାଳା/କାଏମା,୨୫।୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ମଧ୍ୟରେ ଜଙ୍ଗଲ ଜମିରେ ବିଜେଡି କାର୍ଯ୍ୟାଳୟ ନିର୍ମାଣ ଅଭିଯୋଗକୁ ନେଇ ବିବାଦ ତେଜିବାରେ ଲାଗିଛି। ଉଭୟେ ଉଭୟଙ୍କ ଦୋଷ ଦୁର୍ବଳତା ବଖାଣିବା ସହ କଳାପଥର ଲୁଟ ପ୍ରସଙ୍ଗକୁ ମଧ୍ୟ ଏହା ଭିତରକୁ ଟଣାଯାଇଛି।
ଶନିବାର ପୂର୍ବାହ୍ନ ୧୧ଟାରେ ନୂଆଗାଁସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟକ ପ୍ରଣବ କହିଛନ୍ତି, ଧର୍ମଶାଳା ବିଧାୟକଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରାଯାଉଛି। ଲୋକଙ୍କ ସମସ୍ୟାର ସମାଧାନ ନ କରି ଖଣିରେ ମାତିଛନ୍ତି। ଧର୍ମଶାଳା ଛକ ବଜାରରେ ଆଲୋଚନା ହେଉଛି ଯେ କ୍ରଶର ଓ ଖାଦାନଗୁଡ଼ିକଠାରୁ ଚାନ୍ଦା ଆଦାୟ କରାଯାଉଛି। ଏକଥା ଖାଲି ଧର୍ମଶାଳା ନୁହେଁ, ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଲାଣି। ଧର୍ମଶାଳାର ସାଧାରଣ ଲୋକେ ପାହାଡ଼ କିମ୍ବା ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପରିବାର ଚଳାଉଥିଲେ। ଏବେ ସେମାନେ କାମଧନ୍ଦା ନ ପାଇ ବାହାରକୁ କାମ ଅନ୍ବେଷଣରେ ଯାଉଛନ୍ତି। ଏହାବାଦ୍‌ ପ୍ଲଟ୍‌ ନଂ. ୮୦ ସରକାରୀ ଜମିର ୫.୪୧ ଏକରରେ ସେ ନୁହେଁ ସାଧାରଣ ଲୋକେ ରହୁଛନ୍ତି। ମାପଚୁପ ସରିଛି। ମାପ ପରେ ଆବଶ୍ୟକ ପଡ଼ିଲେ ତାଙ୍କ ଜମିର ମାପ କରାଯାଉ, ତାଙ୍କର ଯେତିକି ପଟ୍ଟା ଜମି ରହିଛି ସେତିକି ନେବେ। ଯଦି ସେ ସରକାରୀ ଜମି ମାଡ଼ିବସିଛନ୍ତି ତାହାକୁ ତୁରନ୍ତ ଭାଙ୍ଗି ସରକାରଙ୍କ ଦଖଲକୁ ନିଆଯାଉ। ଏହା ସହ ଭାଜପାର କୁମାରୀ କାର୍ଯ୍ୟାଳୟ ଜଙ୍ଗଲ ଜମିରେ ନିର୍ମାଣ ହୋଇନି ତ ବୋଲି ପୂର୍ବତନ ବିଧାୟକ ପ୍ରଣବ ପ୍ରଶ୍ନ କରିଛନ୍ତି।
ଏହା ପରେ ସନ୍ଧ୍ୟାରେ ବିଧାୟକ ହିମାଂଶୁ ଶେଖର ସାହୁ କୁମାରୀସ୍ଥିତ ତାଙ୍କ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ପୂର୍ବତନ ବିଧାୟକ ପ୍ରଣବଙ୍କ କାର୍ଯ୍ୟାଳୟର ମାପଚୁପ ଚାଲିଛି। ଏଯାଏ ତାହା ସରିନି। ଯିଏ ବି ମାପଚୁପ ପାଇଁ ଅଭିଯୋଗ କରିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମାମଲା। କୁମାରୀସ୍ଥିତ ଭାଜପା କାର୍ଯ୍ୟାଳୟର ଜମି ବାବଦ ସମସ୍ତ ପଟ୍ଟା ଖବରଦାତାମାନଙ୍କୁ ସେ ଦେଖାଇଥିଲେ। ପୂର୍ବତନ ବିଧାୟକଙ୍କ କାର୍ଯ୍ୟାଳୟ ଜମିକୁ ଚଞ୍ଚକତା କରି ପଟ୍ଟା ହାସଲ କରାଯାଇଛି। ଯିଏ ଚୋରି କରିଛି ସେ ନିଶ୍ଚିତ ଭାବେ ଧରାପଡ଼ିବେ ଏବଂ ଜେଲଯିବା ସୁନିଶ୍ଚିତ। ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ବିଭିନ୍ନ ସମୟରେ ପୂର୍ବତନ ବିଧାୟକଙ୍କ ସମର୍ଥକମାନଙ୍କୁ ବେଆଇନ ଭାବେ ଜମି ଲିଜ୍‌ ସୂତ୍ରରେ ଦିଆଯାଇଛି। ଏହା ଏବର କଥା ନୁହଁ, ବହୁଦିନରୁ ଜମି କେଳେଙ୍କାରୀ ହୋଇଆସିଛି। ତେଣୁ ଯେଉଁମାନେ ବେଆଇନ କାର୍ଯ୍ୟକରି ସରକାରଙ୍କ ରାଜସ୍ବ ହାନି କରିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ହିମାଂଶୁ କହିଛନ୍ତି। ସେହିପରି ଭାଜପା ନେତା ସର୍ବେଶ୍ୱର ବେହୁରା କହିଛନ୍ତି, ପୂର୍ବରୁ କଳାପଥର ଲୁଟ ଉପରେ ଜରିମାନା ଆଦାୟ ହୋଇ ପାରୁ ନ ଥିଲା। କୋର୍ଟ କଚେରି ପର୍ଯ୍ୟନ୍ତ ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁ ନ ଥିଲା। ଏବେ ଜରିମାନା ଆଦାୟ ପାଇଁ ମାପଚୁପ କରାଯାଉଛି। ଅନୁମୋଦନ ଠାରୁ ଯେଉଁମାନେ ଅଧିକ କଳାପଥର ଲୁଟ କରିଛନ୍ତି, ସେମାନଙ୍କୁ ଛଡ଼ା ଯିବନି ବୋଲି ସେ କହିଛନ୍ତି।

Share