ଆମ୍ବଗଛ ତଳୁ ମିଳିଲା ନବଜାତ ଶିଶୁପୁତ୍ର

ରାଉରକେଲା ଅଫିସ୍‌, ୩୦।୭: ରାଉରକେଲା ସେକ୍ଟର ୨୦ରେ ମିଶ୍ର ଖଟାଲ ମନ୍ଦିର ନିକଟ ଆମ୍ବଗଛ ମୂଳରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର ହୋଇଛି। ସ୍ଥାନୀୟ ପୋଲିସ ଓ ଚାଇଲ୍ଡ ଲାଇନ ଟିମ୍‌ ପହଞ୍ଚି ଉକ୍ତ ଶିଶୁଟିକୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଶିଶୁ ଦେହର କିଛି ସ୍ଥାନରେ କ୍ଷତବିକ୍ଷତ ଚି଼ହ୍ନ ଦେଖିବାକୁ ମିଳିଛି। କିଏ ଓ କାହିଁକି ଏହି ଶିଶୁଟିକୁ ଫିଙ୍ଗିଦେଇଛି ତାହା ଏବେ ଜଣାପଡିନାହିଁ। ସେକ୍ଟର-୧୯ ପୋଲିସ ଘଟଣାର ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ପ୍ରାୟ ୭ଟାରେ ସ୍ଥାନୀୟ ଲୋକେ ଆମ୍ବଗଛ ତଳେ ଶିଶୁର କାନ୍ଦ ଶୁଣି ସେଠାକୁ ଯାଇଥିଲେ। ନବଜାତ ଶିଶୁପୁତ୍ରକୁ ଦେଖି ସେମାନେ ସେକ୍ଟର-୧୯ ପୋଲିସ ଓ ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲେ। ଏହି ଖବର ପ୍ରସାରିତ ହେବା ପରେ ଶିଶୁଟିକୁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା। ତେବେ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ କେହି କୁଆଁରୀ ମା’ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

Share