ଫିଲ୍ମ ଷ୍ଟାଇଲ୍‌ରେ ପାକିସ୍ତାନ ଯୁବକ ଇଣ୍ଟରନେଟ୍‌ରେ ଖୋଜିଲେ ଭାରତୀୟଙ୍କ ମନିପର୍ସ, ଆଉ ତା’ ପରେ…

ଇସଲାମାବାଦ,୯ା୮: ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ କେତେ ଶକ୍ତିଶାଳୀ ମାଧ୍ୟମ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ପାକିସ୍ତାନୀ ଯୁବକ ରାସ୍ତାରେ ପଡ଼ିଥିବା ଏକ ପର୍ସ ସମ୍ପର୍କରେ ସୋସିଆଲ ମିଡିଆରେ ଲେଖିଥିଲେ। ଏହା ପରେ ଏହି ପର୍ସର ପ୍ରକୃତ ମାଲିକଙ୍କୁ ସେ ଖୋଜି ବାହାର କରିଛନ୍ତି। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଗାଜି ତୈମୁର ନାମକ ପାକିସ୍ତାନୀ ଯୁବକ ଜଣକ ଲଣ୍ଡନର ଶୋରେଡିଚ୍‌ ହାଇଷ୍ଟ୍ରିଟ୍‌ରେ ପଡ଼ିଥିବା ଏକ ମନିପର୍ସ ପାଇଥିଲେ। ଧୂସର ରଙ୍ଗର ଏହି ପର୍ସକୁ ଦେଖିବା ପରେ ଏହାର ପ୍ରକୃତ ମାଲିକ କିଏ ସେ ଖୋଜିବାରେ ଲାଗିଥିଲେ। ଏଥିପାଇଁ ସେ ଟୁଇଟ୍‌ କରି ପ୍ରଥମେ ସୂଚନା ଦେଇଥିଲେ।

ଏହା ପରେ ତୈମୁର ଜାଣିବାକୁ ପାଇଥିଲେ ପର୍ସଟି ଭାରତର ରାହୁଲ ନାମକ ଜଣେ ଯୁବକଙ୍କର। ସେ ଗୁଗ୍‌ଲ, ଫେସବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମରେ ଏହି ଯୁବକଙ୍କୁ ଖୋଜିବାରେ ଲାଗିଥିଲେ। ମାତ୍ର ଏଥିରେ ସଫଳତା ପାଇ ନ ଥିଲେ। ଶେଷରେ ସେ ଲିଙ୍କ୍‌ଦିନ୍‌ ସହାୟତାରେ ସଫଳ ହୋଇଥିଲେ।

ଏହା ପରେ ତୈମୁର ଟୁଇଟ୍‌ କରି କହିଥିଲେ, ଲିଙ୍କ୍‌ଦିନ୍‌ ଅନୁଯାୟୀ, ରାହୁଲ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଫୁଡ୍‌ କମ୍ପାନୀରେ କାମ କରନ୍ତି। ଏବେ ସେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟକୁ ଫୋନ୍‌ କରିଥିଲେ। ସେଠାରେ ପହଞ୍ଚି ପୁଣି ଟୁଇଟ୍‌ କରି ଲେଖିଥିଲେ, ରାହୁଲ ଆଶ୍ଚର୍ଯ୍ୟ ହୋଇଛନ୍ତି ମୁଁ ତାଙ୍କ ପର୍ସ ସାହାଯ୍ୟରେ ତାଙ୍କ ନିକଟରେ କିପରି ପହଞ୍ଚିଲି। ସେ ବହୁତ ଖୁସି ଅଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ପାକିସ୍ତାନୀ ଏବଂ ଭାରତୀୟମାନେ ପ୍ରତିକ୍ରିୟା ବି ଦେଇଛନ୍ତି।

ଜଣେ ମହିଳା ଲେଖିଛନ୍ତି, ଏହି ଘଟଣା ମୋ’ ହୃଦୟକୁ ଛୁଇଁଗଲା। ଓ୍ବେଲ୍‌ ଡନ୍‌। ମୋତେ ଏମିତି କାହାଣୀ ଜରୁରୀ। ଏହାର ଉତ୍ତରରେ ତୈମୁର ଲେଖିଛନ୍ତି ଅଜଣା ଲୋକ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ରେ ଜଣେ ଜଣଙ୍କୁ ସାହାଯ୍ୟ କଲେ ମୋତେ ଲାଗୁଛି ଗୋଟିଏ ସୁନ୍ଦର ଦୁନିଆ ନିର୍ମାଣ ହୋଇପାରିବ। ତୈମୁରଙ୍କ ଏହି ଟୁଇଟ୍‌ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି।

Share