Categories: ଜାତୀୟ

ପ୍ରେମ ପାଇଁ ସୀମା ପାର୍‌ ହୋଇ ଭାରତ ଆସିଲେ ପାକିସ୍ତାନୀ ମହିଳା

ଜୟପୁର, ୩୦।୭:ପୁଣି ଥରେ ଏକ ସୀମା ପାର୍‌ ପ୍ରେମକାହାଣୀ ଦେଖିବାକୁ ମିଳିଛି। ମେହବିଶ୍‌ ନାମ୍ନୀ ଜଣେ ୩୩ ବର୍ଷୀୟା ପାକିସ୍ତାନୀ ମହିଳା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାକୁ ପାର୍‌ ହୋଇ ରାଜସ୍ଥାନର ବିକାନେର ନିବାସୀ ରେହମାନଙ୍କୁ ଭେଟିବାକୁ ଆସିଛନ୍ତି। ଦୁହେଁ ଗତ କିଛିବର୍ଷ ଧରି ସୋସିଆଲ ମିଡିଆରେ ପରସ୍ପରକୁ ଭଲପାଇ ଆସୁଥିଲେ। ପାକିସ୍ତାନର ଇସ୍‌ଲାମାବାଦରେ ରହୁଥିବା ମେହବିଶ୍‌ ୨୦୦୬ରେ ଲାହୋରର ବାଦାମୀବାଘ୍‌ସ୍ଥିତ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ପୁଅ ମଧ୍ୟ ରହିଛନ୍ତି। ୧୨ ବର୍ଷ ଧରି ଦାମ୍ପତ୍ୟ ଜୀବନ ବିତାଇବା ପରେ ୨୦୧୮ରେ ମେହବିଶ୍‌ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ପରେ କିଛିଦିନ ଏକାନ୍ତ ଜୀବନ ବିତାଇବା ପରେ ମେହବିଶ୍‌ କୁଏଟ୍‌ରେ ଟ୍ରାନ୍ସପୋର୍ଟର କାର୍ଯ୍ୟରତ ରେହମାନ ନାମକ ଜଣେ ଭାରତୀୟ ଯୁବକଙ୍କ ସହ
ସୋସିଆଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ଏହି ବନ୍ଧୁତ୍ୱ ଧୀରେ ଧୀରେ ଭଲପାଇବାରେ ପରିଣତ ହୋଇଥିଲା। ୨୦୨୨ ମାର୍ଚ୍ଚ ୧୩ରେ ରେହମାନଙ୍କୁ ପ୍ରଥମଥର ପାଇଁ ମେହବିଶ୍‌ ବିବାହ ନିବେଦନ କରିଥିଲେ। ଏହାର ୩ ଦିନ ପରେ ଦୁହେଁ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ବିବାହ କରିଥିଲେ। ପରେ ୨୦୨୩ରେ ଏହି ଯୋଡ଼ି ଆନୁଷ୍ଠାନିକ ଭାବେ ସାଉଦି ଆରବର ମକ୍କାସ୍ଥିତ ଉମ୍ରା ଅଞ୍ଚଳରେ ବିବାହ କରିଥିଲେ। ରିପୋର୍ଟ ଅନୁଯାୟୀ, ମେହବିଶ୍‌ ରବିବାର ଓ୍ବାଘା ବର୍ଡର ଦେଇ ଭାରତ ଆସିଛନ୍ତି। ଭାରତ ଆସିବା ପାଇଁ ତାଙ୍କୁ ପାକିସ୍ତାନ ସରକାରଙ୍କ ଦ୍ୱାରା ୪୫ ଦିନିଆ ଟୁରିଷ୍ଟ ଭିଜା ମିଳିଛି। ସୀମାରେ ଉଭୟ ପାକିସ୍ତାନ ଓ ଭାରତ ସରକାରଙ୍କ ଦ୍ୱାରା ତାଙ୍କ ଡକ୍ୟୁମେଣ୍ଟଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ସେ ଓ୍ବାଘା ବର୍ଡରରୁ ରାଜସ୍ଥାନର ଚୁରୁସ୍ଥିତ ରେହମାନଙ୍କ ପୈତୃକ ଗ୍ରାମକୁ ଯାଇ ସେଠାରେ ନିଜ ଶ୍ୱଶୁର ଘର ପରିବାର ସଦସ୍ୟଙ୍କୁ ଭେଟିଛନ୍ତି।

Share