
ଭୁବନେଶ୍ୱର, ୨୪।୩ (ବନ୍ଦନା ସେଠୀ): ବନ୍ୟପ୍ରାଣୀଙ୍କୁ ଶିକାର କରି ରାନ୍ଧି ଖାଇବା, ପୋଷା ମନାଇ ରଖିବା ଓ ଅତ୍ୟାଚାର କରିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଛଡ଼ାଯାଉଛି। ଏହାକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହେଉଥିବାବେଳେ ଏବେ ଆଉଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବିରି ଖାଇଦେଇଥିବାରୁ ଜଣେ ଯୁବକ ଗୋଟିଏ ଶୁଆକୁ ଫାଶୀ ଦେବା ସହିତ ଏହାର ମଜା ନେଉଥିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓରେ ଶୁଆଟିର ଦୁଇ ଡେଣାକୁ ଦଉଡିରେ ବାନ୍ଧିବା ସହିତ ତା’ ବେକରେ ଦଉଡି ଲଗାଇ ତାକୁ ଫାଶୀ ଦେବା ଭଳି ଦୁଇ ଖୁଣ୍ଟ ମଝିରେ ଓହଳା ଯାଇଛି। ଭଗ୍ନ ପନ୍ଥେଇ ନାମକ ଜଣେ ଯୁବକ ଏହି ଭିଡିଓକୁ ପୋଷ୍ଟ କରିଥିବାବେଳେ ବିରି ଖାଇ ପଳେଇଥିବାରୁ ଆଜି ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛି ବୋଲି ବେଶ୍ ଆରାମର ସହ କହୁଥିବା ଦେଖାଯାଇଛି। ଏପରିକି ଉକ୍ତ ପୋଷ୍ଟରେ ମଧ୍ୟ ସେ ନିଜ ନାମ ପାଖରେ ଏକ ମୋବାଇଲ୍ ନଂ. ୯୫୦୨୮୨୧୭୧୮ ଉଲ୍ଲେଖ କରିଛନ୍ତି। ତେବେ ଏହି ଭିଡିଓକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପରେ ତାହାକୁ ଡିଲିଟ୍ କରାଯାଇଛି। ଶୁଆ ଭଳି ଏକ ନିରୀହ ବନ୍ୟପ୍ରାଣୀକୁ ଏଭଳି କ୍ରୂରତାର ସହ ହତ୍ୟା କରିବାକୁ ନେଇ ପ୍ରାଣୀପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଶୁଆ ଏକ ବନ୍ୟପ୍ରାଣୀ ହୋଇଥିବାରୁ ଏହାକୁ ପଞ୍ଜୁରିରେ ରଖିବା ଓ ବିକ୍ରି କରିବା ବନ୍ୟପ୍ରାଣୀ ଆଇନ ଅନୁସାରେ ବେଆଇନ। ଏପରି କଲେ ଆଇନ ଉଲ୍ଲଂଘନ ଅଭିଯୋଗରେ ଗିରଫ ଭଳି କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି। ମାତ୍ର ଏଠାରେ ଅଭିଯୁକ୍ତ ଜଣକ ସବୁ ସୀମା ଟପି ଯାଇଛନ୍ତି। ତେଣୁ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି। ଏନେଇ ସ୍ନେକ ହେଲ୍ପ ଲାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ରବିବାର ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝାଙ୍କ ସମେତ ଡିସିଏଫ୍ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ବନ୍ୟପ୍ରାଣୀଙ୍କ ଉପରେ ଅତ୍ୟାଚାର କରିବା, ସେମାନଙ୍କୁ ଶିକାର କରିବା ଭଳି ଫଟୋ ଓ ଭିଡିଓ ପୋଷ୍ଟ ହେଉଥିଲେ ହେଁ ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଉନାହିଁ। ଫଳରେ ବାରମ୍ବାର ଏଭଳି ଘଟଣା ଘଟିବା ସହିତ ଅନ୍ୟମାନଙ୍କୁ ଏପରି କରିବାକୁ ସାହସ ଯୋଗାଉଛି। ଏହି ଘଟଣା ପୂର୍ବରୁ ଯାଜପୁରରେ ଏକ ଦମ୍ପତି ମାଙ୍କଡ଼ ଧରି ସୋସିଆଲ ମିଡିଆରେ ଡ୍ରାମା କରି ଟଙ୍କା ରୋଜଗାର କରୁଥିଲେ। ବିରୋଧ ପରେ ସେମାନେ ଗିରଫ ହୋଇଥିଲେ ହେଁ ଜାମିନରେ ଆସିବା ପରେ ପୂର୍ବପରି କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଭଦ୍ରକ ଜିଲାରେ ସାପଧରି ସୋସିଆଲ ମିଡିଆରେ ପୋଷ୍ଟ କରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଗିରଫ ହୋଇଥିଲେ ହେଁ ଜାମିନରେ ଆସି ପୁନର୍ବାର ସାପ ଖେଳାଉଛନ୍ତି। ଏହି ଘଟଣାକୁ ଦୃଢ ଭାବରେ ଦମନ କରାଯାଇଥିଲେ ପୁନର୍ବାର ଏଭଳି ଅଘଟଣ ଘଟି ନ ଥାନ୍ତା ବୋଲି ପ୍ରାଣୀ ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।