ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ଏସ୍ ବୁଲାଣୀରେ ନାୟକ ଆଣ୍ଡ ନାୟକ ନାମକ ଏକ ଯାତ୍ରୀବାହୀ ବସ( ନଂ.ଓଆର ୦୫ ଏ ୟୁ -୪୯୬୯) ଶନିବାର ଅପରାହ୍ନ ପ୍ରାୟ ୨ ଟାରେ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ବସଟି ଗଜପତି ଜିଲା ଖଜୁରୀପଦା ଗ୍ରାମରୁ ଭାୟା ଦିଗପହଣ୍ଡି ଦେଇ ବ୍ରହ୍ମପୁର ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କ୍ରେନ ଗାଡ଼ିକୁ ସାଇଡ ଦେବାବେଳେ ଚାଳକ ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ। ବସଟି ଘାଟିରୁ ଖସି ରାସ୍ତାକଡରେ ଅଟକି ଯାଇଥିଲା। ଯାତ୍ରୀମାନେ ଭୟରେ ଚିତ୍କାର କରି ଉଠିଥିଲେ। ଏହି ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି। ପରେ ବସଟି ଦିଗପହଣ୍ଡି ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସୂଚନା ମିଳିଛି।