Categories: ଜାତୀୟ

ଜଣେ ବ୍ୟକ୍ତିଙ୍କର ୨ଟି ଜନ୍ମ ପ୍ରମାଣପତ୍ର ହୋଇପାରିବ ନାହିଁ…

ନୂଆଦିଲ୍ଲୀ, ୨୩।୨ : ଜଣେ ବ୍ୟକ୍ତିଙ୍କ ୨ଟି ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ହୋଇ ପାରିବ ନାହିଁ। ଏଭଳି କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ବ୍ୟକ୍ତିଙ୍କ ପରିଚୟ କେବଳ ତାଙ୍କର ନାମ ଅବା ମାତାପିତାଙ୍କ ଦ୍ୱାରା ହୋଇ ନଥାଏ। ଏଥିରେ ଜନ୍ମ ପ୍ରମାଣପତ୍ରର ମଧ୍ୟ ଗୁରୁତ୍ୱ ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

ଜଣେ ଦୁଇଟି ଜନ୍ମ ପ୍ରମାଣପତ୍ର ରଖିବା ଅର୍ଥ ହେଉଛି ତାଙ୍କର ଦୁଇଟି ଭିନ୍ନ ଭିନ୍ନ ପରିଚୟ ରହିଛି। ଅର୍ଥାତ୍‌ ସେ ଜଣେ ନୁହଁନ୍ତି, ଦୁଇ ଜଣ। ଏହା ଦ୍ୱାରା ଭ୍ରମାତ୍ମକ ସ୍ଥିତି ସୃଷ୍ଟି ହେବା ସହିତ ଆଇନଗତ ସମସ୍ୟା ଦେଖାଦେଇଥାଏ ବୋଲି ବିଚାରପତି ସଞ୍ଜୀବ୍‌ ସଚ୍ଚଦେବାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ କୁହାଯାଇଛି।

ଦକ୍ଷିଣ ଦିଲ୍ଲୀର ମ୍ୟୁନିସପାଲ୍‌ କର୍ପୋରେଶନ ପିଟିଶନ ଦାଖଲକାରୀଙ୍କ ଦୁଇ ଜନ୍ମ ପ୍ରମାଣପତ୍ରକୁ ୨୦୧୩ ସେପ୍ଟେମ୍ବର ୨୪ ଏବଂ ୨୦୧୫ ଅକ୍ଟୋବର ୩୦ରେ ଜାରି କରିଥିଲେ। ପ୍ରମାଣପତ୍ରରେ ଜନ୍ମ ତାରିଖ ୨୦୦୧ ନଭେମ୍ବର ୧ ପରିବର୍ତ୍ତେ ୨୦୦୨ ନଭେମ୍ବର ୧ ଉଲ୍ଲେଖ କରାଯାଇଛି।

ପିଟିଶନକାରୀ ଉଲ୍ଲେଖ କରିଥିଲେ ଯେ, ତାଙ୍କର ଦୁଇଟି ଜନ୍ମ ପ୍ରମାଶପତ୍ର ରହିଛି। ତାଙ୍କର ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ଜନ୍ମ ତାରିଖ ଠିକ୍‌ ଥିବାବେଳେ ପାସପୋର୍ଟରେ ଏହା ଭୁଲ୍‌ ଦର୍ଶାଯାଇଛି। ସେ ଏନେଇ ମ୍ୟୁନିସପାଲ୍‌ କର୍ପୋରେଶନଙ୍କଠାରେ ଅଭିଯୋଗ କରିଥିଲେ। ମାତ୍ର ମ୍ୟୁନିସପାଲ୍‌ କର୍ପୋରେଶନଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଜନ୍ମ ପ୍ରମାଣପତ୍ରକୁ ରଦ୍ଦ କରିହେବ ନାହିଁ। ଜିଲାପାଳ ଏନେଇ କହିଥିଲେ ଯେ, ପିତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅଧାରରେ ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଛି।

ଖଣ୍ଡପୀଠଙ୍କ ପକ୍ଷରୁ ମ୍ୟୁନିସପାଲ୍‌ କର୍ପୋରେଶନଙ୍କୁ ୨୦୧୩ ସେପ୍ଟେମ୍ବର ୨୪ରେ ଜାରି ହୋଇଥିବା ଭୁଲ୍‌ ପ୍ରମାଣପତ୍ର ରଦ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Share