ମୁମ୍ବାଇ: କିଙ୍ଗ୍ଖାନ୍ ଶାହାରୁଖ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ। ଏହି ଫିଲ୍ମ ଝଡ଼ ବେଗରେ ରୋଜଗାର ବି କରିଚାଲିଛି। ୪ ବର୍ଷ ପରେ ପରଦାକୁ ଫେରିଥିବା ବଲିଉଡ୍ ବାଦ୍ଶାହା ପ୍ରମାଣ କରିଛନ୍ତି ଯେ, ତାଙ୍କ କ୍ରେଜ୍ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ରହିଛି। ଲୋକମାନେ ‘ପଠାନ’ ପାଇଁ ସବୁକିଛି କରୁଛନ୍ତି। ମୁମ୍ବାଇସ୍ଥିତ ଶାହାରୁଖଙ୍କ ଘର ବାହାରେ ଲୋକଙ୍କ ସମାବେଶ ଦେଖି ଅନେକ ଥର ଆପଣ ଆଶ୍ଚର୍ଯ୍ୟ ହୋଇଥିବେ। କିନ୍ତୁ ଆଜି କିଙ୍ଗ୍ଖାନ୍ଙ୍କ ପାଇଁ ଏମିତି ଏକ ଖବର ଅଛି, ଯାହା ସମସ୍ତ ସୀମା ଅତିକ୍ରମ କରିଛି।
ଶାହାରୁଖଙ୍କ ଜଣେ ପ୍ରଶଂସକ ବାଂଲାଦେଶର ଢାକା ସହରରୁ ଭାରତର ତ୍ରିପୁରାରେ ପହଞ୍ଚିଛନ୍ତି। ଏକଥା ଆମେ କହୁନୁ। ଅଗରତାଲାରେ ଅବସ୍ଥିତ ଏକ ସିନେମା ହଲ୍ର ମାଲିକ ସତଦୀପ ସାହାଙ୍କ ଟୁଇଟ୍ରୁ ଜଣାପଡ଼ିଛି। ସେ ନିଜ ଟୁଇଟରରେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ପୂରା ପରିବାର ସହିତ ବାଂଲାଦେଶରୁ ଭାରତ ଆସିଛନ୍ତି। ସତଦୀପ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁଥିପାଇଁ ପ୍ରେକ୍ଷାଳୟ ପୁଣି ଥରେ ଜୀବନ୍ତ ହୋଇଛି। ରୂପସୀ ସିନେମା, ଅଗରତାଲା ପରିଦର୍ଶନ କରିଥିବାରୁ ଧନ୍ୟବାଦ ବୋଲି ଲେଖିଛନ୍ତି।