ରେଢ଼ାଖୋଲ,୯ା୪(ଡି.ଏନ୍.ଏ.): ରେଢ଼ାଖୋଲ ବୌଦ୍ଧ ରାସ୍ତାର କଦଳୀଗଡ଼ ଠାରେ ରବିବାର ଏକ ଟାଟା ଏସି ଅଟୋ ଧକ୍କାରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ହେଲେ କଦଳୀଗଡ଼ର ହାଡୁ ନାଏକ (୪୧)।
ସୂଚନାନୁଯାୟୀ, ଆଜି ଭୋର୍ରୁ ହାଡୁ ମହୁଲ ସଂଗ୍ରହ ପାଇଁ ରାସ୍ତାରେ ଯାଉଥିବା ବେଳେ ବୌଦ୍ଧ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟାଟା ଏସି ଅଟୋ ନଂ ଓଡି ୨୩ ଏପଂ ୭୮୯୧ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଛି। ଦୁର୍ଘଟଣା ଘଟାଇ ଥିବା ଗାଡ଼ି ଚାଳକଙ୍କୁ ଥାନାରେ ଅଟକ ରଖିଛି। ଅଟୋ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିବା ଜଣାପଡ଼ିଛି। ହାଡୁଙ୍କ ମୃତଦେହ ରେଢ଼ାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି। ଏ ନେଇ ରେଢ଼ାଖୋଲ ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।