ଖପ୍ରାଖୋଲ,୬।୭(ଅଭୟ ତ୍ରିପାଠୀ)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ସିମେଣ୍ଟ ଅତଡ଼ା ଖସୁଛି। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଭୟ ଦେଖାଦେଇଛି। ମଙ୍ଗଳବାର ରୋଗୀମାନେ ଡାକ୍ତରଙ୍କଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ବିତରଣ କେନ୍ଦ୍ରକୁ ଯାଇଥିଲେ। ଫାର୍ମାସିଷ୍ଟଙ୍କଠାରୁ ଔଷଧ ନେଉଥିବା ବେଳେ ଛାତରୁ ସିମେଣ୍ଟ ଖଣ୍ଡ ପଡ଼ିଥିଲା। କୌଣସିମତେ ନିଶ୍ଚିତ ବିପଦରୁ ବର୍ତ୍ତିଯାଇଥିଲେ ଫାର୍ମାସିଷ୍ଟ ସୁମନ୍ତ ନାଏକ। ଏହାପରେ ଫାର୍ମାସିଷ୍ଟ ନାଏକ ହେଲ୍ମେଟ୍ ପିନ୍ଧି ଔଷଧ ବିତରଣ କରୁଥିବା ଦେଖାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ର କୋଠା ପୁରୁଣା ହୋଇଥିବାରୁ ବର୍ଷାପରେ ସିମେଣ୍ଟ କଂକ୍ରିଟ ଖସୁଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା. ବାଳକୃଷ୍ଣ ପୁରୋହିତ ପ୍ରକାଶ କରିଛନ୍ତି। ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବି ହେଉଛି।